ବିଳମ୍ବରେ ଆରମ୍ଭ ହୋଇ ସୁରୁଖୁରୁରେ ଶେଷ ହେଲା ରଥଯାତ୍ରା : କ୍ରିଷନ୍ କୁମାରଙ୍କୁ ପ୍ରସଂଶାର ସୁଅ

ଭୁବନେଶ୍ୱର, ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇ ସୁରୁଖୁରୁରେ ଶେଷ ହେଲା ରଥଯାତ୍ରା। ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା, ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ପରିଚାଳନା କମିଟି ସଦସ୍ୟ, ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ସୁପ୍ରିମ୍ କୋର୍ଟଙ୍କଠାରୁ ରଥଯାତ୍ରା ଅନୁମତି ମିଳିବା କ୍ଷଣି ତ୍ୱରିତ ଢ଼ଙ୍ଗରେ କାର୍ଯ୍ୟ କରିବା ଏବଂ ସର୍ବୋପରି କୋଭିଡ୍ କଟକଣାରେ ରଥଯାତ୍ରାକୁ ଅତ୍ୟନ୍ତ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢ଼ଙ୍ଗରେ ସମ୍ପନ୍ନ କରାଯିବା ପଛରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ଭୂମିକାକୁ ସବୁଆଡେ ପ୍ରଶଂସା କରାଯାଇଛି ।

ଜନସାଧାରଣଙ୍କଠାରୁ ଆରମ୍ଭ କରି ସେବାୟତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ତାଙ୍କ କାର୍ଯ୍ୟ କୁ  ପ୍ରଶଂସା କରୁଛନ୍ତି। ଜଗନ୍ନାଥପ୍ରେମୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ରଥ ନିର୍ମାଣ ଆରମ୍ଭ ଠାରୁ   ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିବା ସହ କାର୍ଯ୍ୟ ସୂଚାରୂ ଭାବେ ଶେଷ ସମ୍ପାଦନ କରିଛନ୍ତି   ରଥ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଅଧାରାତିରେ ତାଙ୍କୁ ରଥଖଳାରେ ଦେଖିବାକୁ ମିଳୁଥିଲା । ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ ଆସିଲା କ୍ଷଣି ଘନ ଘନ ବୈଠକ କରି ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ରଥଯାତ୍ରା ବେଳେ ମଧ୍ୟ ଦିନତମାମ ବେଶ ତତ୍ପର ରହି ସବୁ କାର୍ଯ୍ୟର ତଦାରଖ କରିଥିଲେ କ୍ରିଷନ୍ କୁମାର ଏବଂ ତାଙ୍କ ଟିମ୍ । ଶରଧା ବାଲିରେ ରଥ ପହଞ୍ଚିଲା ପରେ ଉତ୍ସାହିତ ସେବାୟତମାନେ ସମବେତ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କଲାବେଳେ ଡ. କୁମାର ସେମାନଙ୍କ ସାଙ୍ଗରେ ସାମିଲ ହୋଇଥିଲେ ।  ସେବାୟତ ଓ ପୁଲିସ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ପ୍ରସଂଶା କରିବାକୁ ଭୁଲି ନାହାନ୍ତି ମୁଖ୍ୟ ପ୍ରଶାସକ । ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସେବାୟତଙ୍କୁ ତୃତୀୟ କିସ୍ତି ୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ, ଗଜପତି ମହାରାଜାଙ୍କ ଶୁଭେଚ୍ଛା ଏବଂ ପୁଲିସ, ଜିଲ୍ଲା ପ୍ରଶାସନ ଓ ସେବାୟତମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା କହିଛନ୍ତି ଡ. କ୍ରିଷନ୍ କୁମାର ।

Spread the love