ବିଜୟ ଦ୍ବିବେଦୀଙ୍କୁ ‘ସାମ୍ବାଦିକ ଗୌରବ’ରେ ସମ୍ମାନିତ

କଟକ : ଗଣତନ୍ତ୍ରକୁ ରକ୍ଷା କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବାବୁଜୀ କରିଦେଖାଇଛନ୍ତି। ଉତ୍କଳମଣି ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ଭାବରେ ସର୍ବଦା ସେ ଦେଶ, ଜାତିର ସ୍ୱାର୍ଥ ଲାଗି ଚେଷ୍ଟିତ ଥିଲେ। ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାମ୍ବାଦିକ, ରାଜନୀତିଜ୍ଞ ତଥା ସମାଜସେବୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରୀରାମଚନ୍ଦ୍ର ଭବନଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସ୍ମୃତିସଭାରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି ।
ଡ. ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉଦ୍‌ଘାଟନ କରି କହିଲେ ରାଧାନାଥ ରଥ ନାମ ପଛରେ ଗୋଡ଼ାଉ ନଥିଲେ। ସେ ସର୍ବଦା ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶକୁ ସର୍ବାଗ୍ରେ ରଖୁଥିଲେ। ତାଙ୍କ ଭଳି ନିର୍ଭୀକ, ନିଷ୍ଠାପର ବ୍ୟକ୍ତି ଆଜି ବିରଳ। ମୁଖ୍ୟ ଅତିଥି ଭାବେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ କହିଲେ ବାବୁଜୀ ମୋ ପାଇଁ ପ୍ରେରଣା ଥିଲେ। ତୁ ଆମ ଗାଁ ପାଖ ଝିଅ, ଆହୁରି ଆଗକୁ ଯାଆ ବୋଲି କହିଥିବା କଥା ମୋତେ ବହୁତ ଆନନ୍ଦ ଓ ପ୍ରେରଣା ଦେଇଥିଲା ଯାହା ଆଜି ବି ମୋ ମନରେ ସତେଜ ଅଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂହ କହିଲେ ରାଧାନାଥ ରଥ ସର୍ବଦା ଲୋକଙ୍କ ମୌଳିକ ସମସ୍ୟା ପୂରଣ ଉପରେ ଗୁରୁତ୍ୱାରୋପ କରୁଥିଲେ। ଓଡ଼ିଶାର ବିକାଶରେ ସେ ସର୍ବଦା ନିଜକୁ ନିୟୋଜିତ କରିଥିଲେ। ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅଶୋକ ଦାସ କହିଲେ ବାବୁଜୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ସ୍ୱାଭିମାନୀ ତଥା ନୈତିକତାର ମଣିଷ ଥିଲେ। ସାଧାରଣ ଲୋକଙ୍କ ପାଇଁ ସେ ସର୍ବଦା ଲେଖୁଥିଲେ, ଯାହା ଥିଲା ଅସାଧାରଣ। ତାଙ୍କ ସେବା, ତ୍ୟାଗର ପଟାନ୍ତର ନାହିଁ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ ।
ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସମ୍ବାଦଦାତା ବିଜୟ ଦ୍ୱିବେଦୀଙ୍କୁ ଚଳିତ ବର୍ଷର ‘ସାମ୍ବାଦିକ ଗୌରବ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାରରାଶି ୧୦ ହଜାର ଟଙ୍କା, ମାନପତ୍ର ଆଦି ପ୍ରଦାନ କରାଯାଇଥିଲା। ସମ୍ବାଦ ସଂଗ୍ରହ କରୁଥିବା ବେଳେ ମୁଣ୍ଡଳିଠାରେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମରଣୋତ୍ତର ଭାବେ ପ୍ରଦତ୍ତ ‘ରାଧାନାଥ ରଥ ଗଣମାଧ୍ୟମ ସମ୍ମାନ’କୁ ଅରିନ୍ଦମଙ୍କ ଧର୍ମପତ୍ନୀ ସମୀକ୍ଷା ଦାସ ଗ୍ରହଣ କରିଥିଲେ। ଏଥିସହ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଟ୍ରଷ୍ଟର ସଭାପତି ବିଚାରପତି ଏ. ଏସ୍‌. ନାଇଡ଼ୁ ଅଧ୍ୟକ୍ଷତା କରିଥିଲେ। ଉପାଧ୍ୟକ୍ଷ ଡ. ସତ୍ୟ ରାୟ ସ୍ୱାଗତ ଭାଷଣ ଦେଇଥିଲେ।
ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ମୁରଲୀଧର ସାମଲ ଓ ମୀରା ବେଉରା ମାନପତ୍ର ପାଠ କରିଥିଲେ। ସଂଗଠନ ସମ୍ପାଦକ ଡ. ଦ୍ୱୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣରେ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

Spread the love