ଚନ୍ଦ୍ରପୃଷ୍ଠରେ ୧୦ ଫୁଟ ଚଉଡ଼ା ଗାଡ଼ କରିଛି ଲୁନା-୨୫

ମସ୍କୋ : ବିଫଳ ହୋଇ ଖସିପଡ଼ିଥିବା ରୁଷର ମହାକାଶଯାନ ଲୁନା-୨୫ର ଭଗ୍ନାବଶେଷ ଠାବ କରିଛି ଆମେରିକୀୟ ମହାକାଶ ଏଜେନ୍ସି ନାସା । ନାସା ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଲୁନା-୨୫ ପଡ଼ିଥିବା ସ୍ଥାନ ଦର୍ଶାଉଥିବା ଏକ ଫଟୋ ଜାରି କରାଯାଇଛି । ଚନ୍ଦ୍ର ଚାରିପଟେ ବୁଲୁଥିବା ନାସାର ଲୁନାର ରେକନିସେନ୍ସ ଅର୍ବିଟର୍ ପକ୍ଷରୁ ଏହି ଫଟୋ ଉଠାଯାଇଛି । ନାସା ପକ୍ଷରୁ କୁହାଯାଇଛି ଯେ, ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଏକ ବଡ଼ ଗାଡ଼ ସୃଷ୍ଟି କରିଛି । ଏହି ଗାଡ଼ର ଚଉଡ଼ା ପ୍ରାୟ ୧୦ ମିଟର ହେବ । ଲୁନା-୨୫ ଓହ୍ଲାଇବାକୁ ଥିବା ସ୍ଥାନ ନିକଟରେ ଏହି ନୂଆ ଗାଡ଼ଟି ସୃଷ୍ଟି ହୋଇଥିବାରୁ ଏହା ହିଁ ଲୁନାର ଦୁର୍ଘଟଣାସ୍ଥାନ ବୋଲି ନାସା ସିଦ୍ଧାନ୍ତରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ ସହିତ ରୁଷର ଲୁନା-୨୫ ମିଶନ ମଧ୍ୟ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପାଇଁ ଉଡ଼ାଣ ଭରିଥିଲା। ଦୁହେଁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲେ। ଦୀର୍ଘ ୪୭ ବର୍ଷ ପରେ ଏହା ରୁଷର ପ୍ରଥମ ଚନ୍ଦ୍ର ଅଭିଯାନ ଥିଲା । କିନ୍ତୁ ଲୁନା-୨୫ ଚନ୍ଦ୍ରପୃଷ୍ଠରେ ମୃଦୁ ଅବତରଣ ପୂର୍ବରୁ କକ୍ଷପଥରେ ପ୍ରବେଶ କରିବାର ପ୍ରୟାସରେ ବିଫଳ ହୋଇଥିଲା ଓ ଏହା ନିୟନ୍ତ୍ରଣ ହରାଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିଲା । ଲୁନା ୨୫କୁ ୨୦୨୩ ଅଗଷ୍ଟ ୧୦ତାରିଖରେ ରୁଷ ଲଞ୍ଚ କରିଥିଲା। ଏହି ମିସନ ବିଫଳ ହେବାର କାରଣ ଜାଣିବାକୁ ରୁଷ ପକ୍ଷରୁ ଏକ ତଦନ୍ତ କମିସନ ଗଠନ କରାଯାଇଛି ।

Spread the love