ଭାବ ବ୍ୟୁହଳ ପାଲଟିଲା ରାଜଧାନୀର ବିମାନ ବନ୍ଦର

ଭୁବନେଶ୍ୱରରେ ପହଞ୍ଚିଛି ଆତଙ୍କବାଦୀ ଆକ୍ରମଣରେ ସହିଦ 2 ଓଡିଆ ବୀର ଯବାନଙ୍କ ପାର୍ଥିବ ଶରୀର । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଦୁଇ ସହିଦଙ୍କ ମରଶରୀର ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିଛି । ସହିଦଙ୍କୁ ଶେଷ ସଲାମ ପାଇଁ ସିଆରପିଏଫ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ସେଠାରୁ ଦୁଇ ବୀରଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବ । ଦେଶ ପାଇଁ ଜୀବନ ଦେଇଥିବା ଦୁଇ ଓଡ଼ିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ଆକ୍ରମଣରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ପହଞ୍ଚିବା ସ୍ତବ୍ଧ ହୋଇଯାଇଛି ଜନ୍ମମାଟି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ସହିଦ ପ୍ରସନ୍ନ କୁମାର ସାହୁ 1995 ମସିହାରେ ସିଆରପିଏଫର ଯୋଗ ଦେଇଥିଲେ ।

ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର 61 ବାଟାଲିୟନରେ କାର୍ଯ୍ୟରତ ଥିଲେ । ସେହିପରି 2006 ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରିଶିଖର ଗାଁ ଯାଇ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସୂଚନା ରହିଛି ।

ସେହିପରି ରତନପୁର ଗାଁରେ ପହଞ୍ଚି ସହିଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସହିଦଙ୍କ ପରିବାରକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love