କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସଂଜୟ, କହିଲେ ମୁମ୍ବାଇ ତୁମ ବାପ ସମ୍ପତ୍ତି?

ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଂଜୟ ରାଉତ ବିଭିନ୍ନ ପ୍ରସଙ୍ଗକୁ ନେଇ ରବିବାର ଏକ ବେସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ସରକାର ଚାଲିଛି। ସିନ୍ଦେ ସେନା ଦ୍ବାରା ମୁମ୍ବାଇକୁ କବଜା କରାଯାଇଛି ବୋଲି କୁହାଯାଉଛି। ଏହା ତାଙ୍କ ବାପ ସମ୍ପତ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ସତସାହସ ଅଛି ତ ନିର୍ବାଚନ କର। ପାକିସ୍ତାନରେ ଆଲ୍‌ହା, ଆମେରିକା ଓ ଆର୍ମି ଭଳି ତିନିଟି ‘ଅ’ ବ୍ୟବହାର କରି ଯେଭଳି ସରକାର ଚାଲିଛି ସେହିପରି ଭାରତରେ ସିବିଆଇ, ଇଡି ଏବଂ ଇନକମ‌ ଟ୍ୟାକ୍ସ ଏହି ତିନିଟିକୁ ନେଇ ସରକାର ଚାଲିଛି। ବିଜେପିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଯେତେ ଅଛନ୍ତି ସମସ୍ତେ ମିଛ କହିବାରେ ଧୂରନ୍ଦର।
ଆଗାମୀ ଦିନରେ ଆମ ସରକାର ଆସିଲେ ନରେନ୍ଦ୍ର ମୋଦି, ଅମିତ ସାହ ଓ ଫଡନଭିସ ସମସ୍ତେ ଆମ ପାର୍ଟିକୁ ଆସିବାକୁ ଚାହିଁବେ, ହେଲେ ସେମାନଙ୍କୁ ଦଳରେ ନିଆଯିବ କି ନାହିଁ ତାହା ଉଦ୍ଧବ ଠାକରେ ନିର୍ଣ୍ଣୟ କରିବେ। ଗଧିଆର ପୋଷାକ ପିନ୍ଧିଦେଲେ ଯେ ବାଘ ହୋଇଯିବ ତାହା ଭାବିବା ଭୁଲ, ସମୟ ଆସିଲେ ଏଠାରେ ପ୍ରକୃତ ବାଘ ଦେଖିବାକୁ ମିଳିବ ବୋଲି ସେ କହିଥିଲେ। ବିପର୍ଯ୍ୟୟକୁ ନେଇ ସେ କହିଥିଲେ ଯେ, ଏହାକୁ ମୋଦି ସରକାର ଏକ ବଡ ପ୍ରକଳ୍ପ ବୋଲି ଭାବୁଛନ୍ତି। କିନ୍ତୁ ଏହାର ଅନେକ ବିକଳ୍ପ ଶିବସେନା ପାଖରେ ଅଛି। ଆମର ଦଳ ଅବଦୁଲ୍ଲ ସତ୍ତାରଙ୍କ ଭଳି ନକଲି ଦଳ ନୁହଁ, ଏହା ବାଲାସାହେବଙ୍କ ପ୍ରତିଷ୍ଠିତ ଦଳ।

ବାଲା ସାହେବ ଥାକରେ ଆମ ପିତା। ଏହାକୁ କେହି ନକଲ କରିପାରିବେ ନାହିଁ। ଜେ.ପି.ନଡ୍ଡା, ଅମିତ ସାହଙ୍କ ଭଳି କେନ୍ଦ୍ରୀୟ ନେତାଙ୍କ ନାମ ନେଇ ସେ କହିଲେ ଯେ, ଅନେକ କେନ୍ଦ୍ରୀୟ ନେତା ମୁମ୍ବାଇକୁ ଆସିଛନ୍ତି। ସେମାନେ ଆସିଲା ପରେ ମୁମ୍ବାଇକୁ ସେମାନେ ନିଜ ହେପାଜତକୁ ନେଇ ଯାଇଛନ୍ତି ବୋଲି ଯାହା ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ଆମ ଯୁଦ୍ଧ ସେଇମାନଙ୍କ ପାଇଁ ଯେଉଁମାନଙ୍କର ମହାରାଷ୍ଟ୍ର ପ୍ରତି ସହାନୁଭୂତି ନାହିଁ। କିଛି ଦିନ ତଳେ ସୁପ୍ରିମ କୋର୍ଟ ଏହି ସରକାରଙ୍କୁ ବରଖାସ୍ତ କରି ଦେଇଥିଲେ। କୋର୍ଟ ତ କେବଳ ମୃତ୍ୟୁର ସଜା ଦେଇପାରିବେ। କିନ୍ତୁ ଫାସି ଦେବା ବେଳେ ଜଲ୍ଲାଦର ଆବଶ୍ୟକତା ରହିଛି ବୋଲି ସଂଜୟ ରାଉତ କହଥିଲେ।

Spread the love