ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ରାୟଗଡ଼ା, ୨୩/୭: ଆଜି ରାୟଗଡ଼ାର ହୋଟେଲ ରାଜ ଭବନ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟମାନଙ୍କ ପାଇଁ ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ପ୍ରଶିକ୍ଷଣରେ ଡ଼ଃ ବିରଞ୍ଚି ମିଶ୍ର, ଉପନିର୍ଦ୍ଦେଶକ, ପ୍ରାଣୀ ସମ୍ପଦ ବିଭାଗ, ରାୟଗଡ଼ା ଏବଂ ଡ଼ଃ ସୁବ୍ରତ ପାଣିଗ୍ରାହୀ, ବ୍ଲକ ପଶୁ ଚିକିତ୍ସା ଅଧିକାରୀ (BVO) ମୁଖ୍ୟ ସମ୍ବଳ ବ୍ୟକ୍ତି (Resource Persons) ଭାବେ ଯୋଗଦେଇ ଛେଳି ପାଳନର ବୈଜ୍ଞାନିକ ଓ ଆଧୁନିକ ପଦ୍ଧତି ସମ୍ପର୍କରେ ବିସ୍ତୃତ ବୈଷୟିକ ସୂଚନା ପ୍ରଦାନ କରିଥିଲେ।
ପ୍ରଶିକ୍ଷଣରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା:
୧- ବୈଜ୍ଞାନିକ ଛେଳି ପାଳନର ଗୁରୁତ୍ୱ ଉନ୍ନତ କିସମର ଛେଳି ଚୟନ
୨- ସନ୍ତୁଳିତ ଖାଦ୍ୟ ଓ ପୋଷଣ ପରିଚାଳନା
୩- ପରିଷ୍କାର ଓ ସ୍ୱାସ୍ଥ୍ୟକର ଛେଳି ଶେଡ଼ ପରିଚାଳନା
୪- ନିୟମିତ ଟୀକାକରଣ (Vaccination) ଓ କୃମିନାଶକ ଔଷଧ (Deworming) ପ୍ରଦାନ
୫- ଛେଳିର ସ୍ୱାସ୍ଥ୍ୟ ସୁରକ୍ଷା ଓ ସାଧାରଣ ରୋଗର ପ୍ରତିରୋଧ
୬- ପ୍ରଜନନ ଓ ଛୁଆ ଛେଳିର ଯତ୍ନ
୭- ଲାଭଜନକ ଛେଳି ପାଳନ ପାଇଁ ଉଦ୍ୟୋଗ ପରିଚାଳନା
ବିଶେଷଜ୍ଞମାନେ ଉଲ୍ଲେଖ କରିଥିଲେ ଯେ ସମୟାନୁସାରେ ଟୀକାକରଣ, ନିୟମିତ କୃମିନାଶକ ପ୍ରୟୋଗ, ସନ୍ତୁଳିତ ପୋଷଣ ଓ ପରିଷ୍କାର ଶେଡ଼ ପରିଚାଳନା ମାଧ୍ୟମରେ ଛେଳିର ସ୍ୱାସ୍ଥ୍ୟ ସୁରକ୍ଷିତ ରହିବା ସହ ମୃତ୍ୟୁହାର କମିଥାଏ, ଉତ୍ପାଦନକ୍ଷମତା ବୃଦ୍ଧି ପାଏ ଏବଂ ଛେଳି ପାଳନକୁ ଏକ ଲାଭଜନକ ଓ ସ୍ଥାୟୀ ଜୀବିକାରେ ପରିଣତ କରାଯାଇପାରେ। ଏହି ପ୍ରଶିକ୍ଷଣ ମାଧ୍ୟମରେ SHG ସଦସ୍ୟମାନଙ୍କର ବୈଷୟିକ ଜ୍ଞାନ ଓ ଦକ୍ଷତାର ବିକାଶ ଘଟିଥିଲା। ସେମାନେ ବୈଜ୍ଞାନିକ ଛେଳି ପାଳନ ପ୍ରଣାଳୀକୁ ଅପନାଇ ନିଜ ପରିବାରର ଆୟ ବୃଦ୍ଧି କରିବା ସହ ସ୍ଥାୟୀ ଜୀବିକାର ବିକାଶ ଦିଗରେ ଆଗେଇବା ପାଇଁ ପ୍ରେରିତ ହୋଇଥିଲେ। ପ୍ରଶିକ୍ଷଣ ଶେଷରେ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ନିଜ ଅଭିଜ୍ଞତା ବାଣ୍ଟିବା ସହ ବିଭିନ୍ନ ସମସ୍ୟାର ବ୍ୟବହାରିକ ସମାଧାନ ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ ପାଇଥିଲେ।
