SIRକୁ ନେଇ ତେଜିଲା ବିରୋଧ, ଆଜି ନିର୍ବାଚନ କମିଶନ ଅଭିମୁଖେ ବିରୋଧୀ ସାଂସଦ

ନୂଆଦିଲ୍ଲୀ : SIRକୁ ବିରୋଧ କରି ଆଜି ବଡ଼ ମାର୍ଚ୍ଚ । ରାସ୍ତାକୁ ଓହ୍ଲାଇବେ ବିରୋଧୀ ସାଂସଦ । ନିର୍ବାଚନ କମିଶନ ଅଭିମୁଖେ ମାର୍ଚ୍ଚ କରିବେ INDIA ବ୍ଲକ୍ ର ସାଂସଦ । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ଉଠିଥିବା ବିଭିନ୍ନ ଅଭିଯୋଗ ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରି ଦିଲ୍ଲୀରେ ଏହି ମାର୍ଚ୍ଚ ହେବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ବିରୋଧୀ ଦଳର ସାଂସଦମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । INDIA ବ୍ଲକର ଅଭିଯୋଗ ହେଉଛି, SIR ପ୍ରକ୍ରିୟାରେ ଭୋଟର ତାଲିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବା ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଆସୁଛନ୍ତି ।  ନିର୍ବାଚନ କମିଶନ କିନ୍ତୁ ଏହାର ପ୍ରକ୍ରିୟା ଆଇନ ଅନୁଯାୟୀ ହେଉଥିବା କହିଆସିଛନ୍ତି । ସେପ୍ଟେମ୍ବର ୩୦ରେ INDIA ବ୍ଲକ୍ ର ବୈଠକ ପରେ ଖଡ଼ଗେ ଏହି ଆନ୍ଦୋଳନର ରୂପରେଖ ଘୋଷଣା କରିଥିଲେ । ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଚାଲିବା ସହ ଜିଲ୍ଲାସ୍ତରରେ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବାକୁ ବିରୋଧୀ ମେଣ୍ଟ ନିଷ୍ପତ୍ତି ନେଇଥିଲା । ଏହାର ଅଂଶ ଭାବେ ଆଜି ବିରୋଧୀ ସାଂସଦମାନେ ନିର୍ବାଚନ କମିଶନ ଅଭିମୁଖେ ମାର୍ଚ୍ଚ କରିବେ ।

ଏହି ମାର୍ଚ୍ଚ ଜରିଆରେ ବିରୋଧୀ ଦଳଗୁଡ଼ିକ SIR, ଭୋଟର ତାଲିକାରେ କଥିତ ଅନିୟମିତତା ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସେମାନଙ୍କ ଆପତ୍ତି ଉଠାଇବେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ବିରୋଧୀ ମେଣ୍ଟର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିଛି। INDIA ବ୍ଲକ୍ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଆହୁରି ବ୍ୟାପକ କରିବାକୁ ଯୋଜନା କରିଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ ପାଇଁ ସମୟ ମାଗିବେ ଏବଂ ନିଜର ଆପତ୍ତି ତାଙ୍କ ନିକଟରେ ରଖିବେ । ଏହାସହ ଆଗକୁ ପାଞ୍ଚଟି ବଡ଼ ରାଲି କରିବାକୁ ମଧ୍ୟ ମେଣ୍ଟ ଘୋଷଣା କରିଛି ।

Spread the love

Leave a Reply

Your email address will not be published. Required fields are marked *