ବାରବାଟୀ ଟି୨୦, ଦର୍ଶକଙ୍କ ସ୍ବାସ୍ଥ୍ୟ ପାଇଁ ନୂଆ ବ୍ୟବସ୍ଥା

କଟକ: ଜୁନ୍‌ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ସୁଚାରୁରୂପେ ଆୟୋଜନ ପାଇଁ ଓସିଏ ତତ୍ପର ହୋଇଉଠିଛି। ପାଖାପାଖି ୪୪୦୦୦ ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଯାଉଥିବା ମ୍ୟାଚ୍‌କୁ ସଫଳ କରିବା ପାଇଁ ସମସ୍ତ ଦିଗ ପ୍ରତି ଦୃଷ୍ଟିଦେବାକୁ ଓସିଏ ନିଷ୍ପତ୍ତି ନେଇଛି। ଏଥିପାଇଁ ଗତକାଲି ଓସିଏ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ମ୍ୟାଚ୍‌ରେ ଦର୍ଶକଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଓସିଏ ପ୍ରସ୍ତୁତି କରିଛି। ପ୍ରଥମଥର ପାଇଁ ପ୍ରତ୍ୟେକ ଗ୍ୟାଲେରୀ ଓ ଦର୍ଶକ ବସୁଥିବା ଅନ୍ୟ ସ୍ଥାନମାନଙ୍କରେ ଡାକ୍ତରୀ ଦଳ ରଖିବାକୁ ଓସିଏ ଯୋଜନା କରିଛି। କଟକ ସିଡିଏମ୍‌ଓ ଡାକ୍ତର କମିଟିର ଅଧ୍ୟକ୍ଷ ରହିବେ। ଖେଳାଳିଙ୍କ ଡ୍ରେସିଂରୁମ୍‌ରେ ପୂର୍ବ ପରି ଡାକ୍ତର ରହିବେ। ଏହାଛଡ଼ା ୩୦ ଜଣିଆ ଡାକ୍ତର ଦଳକୁ ବିଭିନ୍ନ ଗ୍ୟାଲେରୀ, ଭିଆଇପି ବକ୍ସ, ବିସିସିଆଇ ବକ୍ସ ଇତ୍ୟାଦି ସ୍ଥାନରେ ରହିବାର ବନ୍ଦୋବସ୍ତ କରାଯିବ। ଗରମ ବାତାବରଣ ଯୋଗୁଁ ଯଦି କୌଣସି ଦର୍ଶକ ଅସୁସ୍ଥ ହୋଇପଡ଼ନ୍ତି; ତାହେଲେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରତି ଗ୍ୟାଲେରୀରେ ୨ ଜଣ ଡାକ୍ତର ରହିବେ। ଏହି ମ୍ୟାଚର ସଫଳ ପରିଚାଳନା ପାଇଁ ଗଠନ ହୋଇଥିବା ବିଭିନ୍ନ ସବ୍‌କମିଟି ବୈଠକରେ ଓସିଏ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି। ଆୟୋଜନ କମିଟି ଅଧ୍ୟକ୍ଷ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନେତୃତ୍ବରେ ହୋଇଥିବା ପ୍ରସ୍ତୁତି ବୈଠକରେ ସମସ୍ତ ସବ୍‌-କମିଟିର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ ଆୟୋଜନ ସମ୍ପର୍କରେ ପରାମର୍ଶ ଦିଆ ଯାଇଥିଲା। ବୈଠକ ଶେଷରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦର୍ଶକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବାରବାଟୀ ଷ୍ଟାଡିୟମରେ ବହୁତ ପୁରୁଣା କୋଠା ରହିଛି। ସେତେବେଳେ ଅଗ୍ନି ନିରାପତ୍ତା ଜନିତ ବ୍ୟବସ୍ଥା ନଥିଲା। ତେଣୁ ପୁରୁଣା ଢାଞ୍ଚାରେ ଦର୍ଶକମାନେ କିପରି ସୁରକ୍ଷିତ ଭାବେ ମ୍ୟାଚ ଉପଭୋଗ କରିପାରିବେ ତାହାକୁ ଧ୍ୟାନରେ ରଖାଯାଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭ନଂ ଗ୍ୟାଲେରି ଅସୁରକ୍ଷିତ ଥିବା ଜଣାପଡ଼ିବା ପରେ ତାହାର ମରାମତି କରାଯାଇଛି। ଯଥେଷ୍ଠ ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇଛି। ତେଣୁ ସଫଳ ମ୍ୟାଚ ଆୟୋଜନ ପାଇଁ ଓସିଏ ସମ୍ପାଦକ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ବୈଠକରେ ପରାମର୍ଶଦାତା କମିଟି ଅଧ୍ୟକ୍ଷ ତଥା ସିଏମ୍‌ସି ମେୟର ସୁବାସ ସିଂହ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ମେହ୍‌ତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ।

Spread the love