T20 ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ପାଇଲା ୨୭ କାଟିରୁ ଅଧିକ ପୁରସ୍କାର ରାଶି
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦମଦାର ବିଜୟ ସହିତ ଭାରତ T20 ବିଶ୍ୱକପ୍ ୨୦୨୬ ଟାଇଟଲ ହାସଲ କରିଛି । କେବଳ ଟ୍ରଫି ଉଠାଇନାହିଁ ବରଂ ରେକର୍ଡ ଭାଙ୍ଗି $୩ ମିଲିୟନ (ପ୍ରାୟ ୨୭.୪୮ କୋଟି) ପୁରସ୍କାର ମଧ୍ୟ ପାଇଛି । ବିସ୍ଫୋରକ ଟପ୍-ଅର୍ଡର ବ୍ୟାଟିଂ ଦ୍ୱାରା, ଭାରତ ଏକ ବିଶାଳ ୨୫୫/୫ ସ୍କୋର କରିଛି । ଏକ ଭୟଙ୍କର ଲକ୍ଷ୍ୟ ଧାର୍ଯ୍ୟ କରିଛି ଯାହାକୁ ନ୍ୟୁଜିଲାଣ୍ଡ ପିଛା କରିପାରିନଥିଲା । T20 ବିଶ୍ୱକପ୍ ଇତିହାସର ସର୍ବାଧିକ ସ୍କୋରିଂ ଫାଇନାଲରେ ଏକ ସ୍ମରଣୀୟ ବିଜୟ ହାସଲ କରିଛି ।
ଏହା ସହିତ ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ରେକର୍ଡ କରିଛି ସୂର୍ଯ୍ୟ ବାହିନୀ । ଅନ୍ୟପଟେ ପ୍ରଥମ ଥର ବିଶ୍ଵ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ଵପ୍ନ ଧୂଳିସାତ ହୋଇଛି । ଏହା ପୂର୍ବରୁ କୌଣସି ଦଳ ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ବଜାୟ ରଖିବାର ରେକର୍ଡ କରି ନାହାନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା । ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି ।
ଫାଇନାଲର ହିରୋ ଥିଲେ ସଞ୍ଜୁ ସାମସନ୍ । ୪୬ଟି ବଲରୁ କରିଥିଲେ ୮୯ ରନ । ଇନିଂସରେ ଥିଲା ୮ ଛକା ଓ ୫ ଚୌକା । ଷ୍ଟ୍ରାଇକ ରେଟ ଥିଲା ୧୯୩। ସଂଜୁଙ୍କ ୭୪ ମିନିଟର ପାଳିରେ କିୱି ଟିମକୁ ଟେନସନ କରିଥିଲା । ଦଳ କୌଣସି ବୋଲର ସଂଜୁଙ୍କ ଆଗରେ ତିଷ୍ଠି ପାରି ନଥିଲେ । ଚୌକା ଅପେକ୍ଷା ଅଧିକ ଛକା ମାରିଥିଲେ ସଂଜୁ । T20 ବିଶ୍ବକପରେ ୩ଟି ଲଗାତାର ୮୦ରୁ ଅଧିକ ରନ୍ କରିବାରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ମଧ୍ୟ ସେ ୮୯ ରନ୍ କରିଥିଲେ । କେବଳ ଏତିକି ନୁହେଁ ସାମସନ ଦ୍ବିତୀୟ ୱିକେଟ୍ ପାଇଁ ଇଶାନ କିଶନଙ୍କ ସହିତ ୧୦୫ ରନ୍ ର ଭାଗିଦାରୀ କରିଥିଲେ । ଯାହା ଟିମ ଇଣ୍ଡିଆ ପାଇଁ ବଡ଼ ସ୍କୋର କରିଥିଲା ।
