୩ ଘଣ୍ଟା କଲବଲ କଲା ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ବର: ସନ୍ଧ୍ୟା ପ୍ରାୟ ୬ଟା ହେବ। କଟକ ପଟୁ ଭୁବନେଶ୍ବର ଆସୁଥିବା ଗାଡ଼ିଗୁଡ଼ିକର ବେଗ ହଠାତ୍‌ ହଂସପାଳ ନିକଟରେ କମିଯାଇ ପରେ ପୂରା ସ୍ଥିର ହୋଇଗଲା। ଘଣ୍ଟାକଣ୍ଟା ଘୂରିଲା, ସମୟ ଗଡି ଚାଲିଲା। କିନ୍ତୁ ଗାଡ଼ିର ଚକ ଆଗକୁ ଗଡ଼ିଲା ନାହିଁ। ଟ୍ରାଫିକ୍‌ ଜାମ୍‌ରେ ପ୍ରାୟ ୩ଘଣ୍ଟା ଫସି ରହି ବିକଟାଳ ହର୍ନ, ଧୂଳି ଓ ଧୂଆଁରେ ଅଣନିଶ୍ବାସୀ ହୋଇଗଲେ ବିଭିନ୍ନ ଗାଡ଼ି ଭିତରେ ଥିବା ହଜାର ହଜାର ଲୋକ। ହଂସପାଳରେ ଦୀର୍ଘ ୪ ବର୍ଷ ହେବ ଫ୍ଲାଏଓଭର କାମ କରୁଛି ଏନ୍‌ଏଚ୍‌ଏଆଇ। ନିର୍ମାଣ ଅବଧି ସରିବା ପରେ ବି କାମ ସରୁ ନଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଓ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି।ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ପରେ ବି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଯାହାର ପରିଣାମ ଆଜି ଭୟଙ୍କର ହୋଇଛି। ଆଜି ସକାଳ ପ୍ରାୟ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହଂସପାଳ ନିକଟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପୁଣି ଅପରାହ୍‌ଣ ୫ଟାରୁ ଜାମ୍‌ ଧୀରେ ଧୀରେ ବଢ଼ିଥିଲା। କିଛି ସମୟ ମଧ୍ୟରେ ହଂସପାଳଠାରୁ ବାଣୀବିହାର ପର୍ଯ୍ୟନ୍ତ ଉଭୟ ପାଖ ରାସ୍ତାରେ ଗାଡ଼ି ଜାମ୍‌ ହୋଇ ଯାଇଥିଲା। ଏହାପରେ ରସୁଲଗଡ଼ ସର୍ଭିସରୋଡ, କଟକରୋଡ ଓ ହଂସପାଳରୁ ବାଣୀବିହାର ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା। ଏମିତିକି ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକାଧିକ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ରହିଥିଲା। ଟ୍ରାଫିକ୍‌ ପୁଲିସ ଜାମ୍‌ ହଟାଇବାକୁ ଚେଷ୍ଟା କରି ନାକେଦମ୍‌ ହୋଇ ଯାଇଥିଲା। ତେବେ ରାତି ପ୍ରାୟ ୯ଟା ବେଳକୁ ଜାମ୍‌ ହଟିଥିଲା।

Spread the love