ଅମ୍ବାନୀଙ୍କ ଘର ତଳୁ ବି‌ସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା: ତଦନ୍ତ ଭାର ଏନଆଇଏ ସମ୍ଭାଳିବା ପରେ କିଛି ଗଡ଼ବଡ଼ ଅଛି ବୋଲି କହିଲେ ଉଦ୍ଧବ ଠାକରେ

ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ଘର ତଳୁ ବି‌ସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା ଆଜି ନୂଆ ମୋଡ଼ ନେଇଛି। ପ୍ରଥମେ ଏହି ଘଟଣାର ତଦନ୍ତ ମହାରାଷ୍ଟ୍ରର ଆଣ୍ଟି ଟେରୋରିଜିମ ସ୍କ୍ବାର୍ଡ କରୁଥିବା ବେଳେ ଆଜି ଘଟଣାର ତଦନ୍ତ ଭାର ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ)କୁ ଦିଆଯାଇଛି। ହଠାତ୍ ତଦନ୍ତ ଭାର ଏନଆଇଏ ହାତକୁ ଯିବା ପରେ କିଛି ଗଡ଼ବଡ଼ ଅଛି ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।
ସେ କହିଛନ୍ତି ଯେ, ଆପଣ ସମସ୍ତେ ଜାଣନ୍ତି ଯେ ଏଟିଏସ୍ (ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ ସ୍କ୍ବାର୍ଡ) ଏହି ମାମଲାର ଯାଞ୍ଚ କରୁଥିଲା। ଏଜେନ୍ସିଗୁଡିକ କାହାର ସମ୍ପତ୍ତି ନୁହେଁ। ସରକାର ବଦଳନ୍ତି କିନ୍ତୁ ବ୍ୟବସ୍ଥା ପରିବର୍ତ୍ତନ ହୁଏ ନାହିଁ। ଜଣେ ବ୍ୟବସ୍ଥାରେ ବିଶ୍ୱାସ କରିବା ଆବଶ୍ୟକ। ଯଦି କେନ୍ଦ୍ର ଏହି ମାମଲାର ତଦନ୍ତ ଭାର ନେବାକୁ ଯୋଜନା କରୁଛି, ତେବେ ଏଥିରେ କିଛି ଗଡ଼ବଡ଼ ଅଛି। ସାଂସଦ ମୋହନ ଡେଲକରଙ୍କ ଆତ୍ମହତ୍ୟାକୁ ନେଇ ମଧ୍ୟ ଆମେ ଅନୁସନ୍ଧାନ କରୁଛୁ। କିନ୍ତୁ ବିରୋଧୀ ଦଳର କୌଣସି ନେତା ଏବିଷୟରେ ମୁହଁ ଖୋଲିନାହାନ୍ତି। ତେବେ ତାଙ୍କର ଏଭଳି ବୟାନକୁ ନେଇ ବିରୋଧୀ କୌଣସି ପ୍ରତିକ୍ରିୟା ରଖିନଥିବା ଜଣାପଡ଼ିଛି।

Spread the love