ଶିବଲିଙ୍ଗର ଅର୍ଘରେ ହାତଧୋଇ ବିବାଦରେ ୟୁପିର ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ
ଲକ୍ଷ୍ନୌ: ଶିବଲିଙ୍ଗର ଅର୍ଘରେ ହାତଧୋଇ ବିବାଦରେ ୟୁପିର ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ। ବାରବାଙ୍କିର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗର ଅର୍ଘରେ ହାତ ଧୋଇବାର ଭିଡିଓ ଭାଇରାଲ ହେବାରୁ ଉତ୍ତରପ୍ରଦେଶ ମନ୍ତ୍ରୀ ସତୀଶ ଶର୍ମା ଆଜି ବିରୋଧୀ ଦଳର ଟାର୍ଗେଟକୁ ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଜଣେ ପୁରୋହିତଙ୍କ ସାହାଯ୍ୟରେ ଶିବଲିଙ୍ଗର ଅର୍ଘରେ ହାତ ଧୋଉଥିବା ଦେଖିବାକୁ ମିଳିଛି।
ସନାତନ ଧର୍ମକୁ ଅପମାନିତ କରିଥିବା କହି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ତେବେ ସତୀଶ ଶର୍ମା ଏହି ଅଭିଯୋଗର ପ୍ରତିବାଦ କରି କହିଛନ୍ତି ଯେ ସେ କିଛି ବି ଭୁଲ କରିନାହାଁନ୍ତି ଏବଂ ଯଦି ସେ ଭୁଲ କରିଥାନ୍ତେ, ତେବେ ପୁରୋହିତ ତାଙ୍କୁ ଅଟକାଇଥାନ୍ତେ। ଏହି ସମସ୍ତ ବିବାଦ ଉପରେ ପ୍ରତିକ୍ରିୟା ଦେଇ ମନ୍ଦିରର ପୁରୋହିତ କହିଛନ୍ତି ଯେ, “ମନ୍ତ୍ରୀ ସତୀଶ ଶର୍ମା କିଛି ବି ଭୁଲ କରିନାହାନ୍ତି। ମନ୍ତ୍ରୀ ସତୀଶ ପୂଜା କରିବା ପରେ ଚନ୍ଦନ ଏବଂ ଅନ୍ୟାନ୍ୟ ଜିନିଷ ଧରିଥିଲେ। ଯେତେବେଳେ ସେ ହାତ ଧୋଇବାକୁ କହିଥିଲେ, ଆମେ ଶିବଲିଙ୍ଗ ପାଖରେ ତାଙ୍କୁ ହାତ ଧୋଇବାକୁ କହିଥିଲୁ। କାରଣ ଏହା ପ୍ରସାଦ ଆକାରରେ ଥିଲା। ଏଥିରେ କିଛି ଭୁଲ ନାହିଁ।”
ଅଗଷ୍ଟ ୨୭ରେ ଏହି ଘଟଣା ଘଟିଥିବା ବେଳେ ଏବେ ଭିଡିଓ ଭାଇରାଲ ହେବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସତୀଶ ଶର୍ମା ବନ୍ୟା ପୀଡିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବା ପାଇଁ ରାମନଗର ତହସିଲର ହେତମାପୁର ଗ୍ରାମକୁ ଯିବା ବେଳେ ମନ୍ଦିରରେ ପୂଜା କରିବା ପାଇଁ ଅଟକିଥିଲେ। ହେଲେ ମନ୍ଦିରରେ ସେ କରିଥିବା କାମକୁ ନେଇ ଏଭଳି ବିବାଦ ହେବ ବୋଲି ତାଙ୍କୁ ଜଣାନଥିଲା।