ଖାଦ୍ୟ ନଷ୍ଟ ଏକ ଅଭିଶାପ ନୁହେଁ ତ କଣ ? ଭାରତରେ ପ୍ରତି ବ୍ୟକ୍ତି ୫୦ କିଲୋ ଖାଇବା ଫିଙ୍ଗି ଦିଏ

ବୋଧହୁଏ ବିଶ୍ୱର ଏମିତି କୌଣସି ଦେଶ ନଥିବ ଯେଉଁଠି ଲୋକେ ଭୋକରେ ମରୁ ନାହାନ୍ତି । କେଉଁଠି କମ୍‌ ଆଉ କେଉଁଠି ବେଶି । ତେବେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଭୋକର ଭୂଗୋଳ ସମ୍ପୂର୍ଣ୍ଣ ଅଲଗା । ବିଜ୍ଞାନର ବିକାଶରେ ଅନେକ ଦେଶରେ ଭୋକରେ ମୃତ୍ୟୁ ଘଟଣା କମିଥିଲେ ମଧ୍ୟ ଗରିବ ଦେଶରେ ଲୋକେ ଯେ ଦୁଇ ଓଳି ଦୁଇମୁଠା ଖାଇବାକୁ ପାଉଥିବେ ତାକୁ ନେଇ ସନ୍ଦେହ ରହିଛି । ହେଲେ ଏସବୁ ଭିତରେ ଆମେ ଭୋକିଲା ପ୍ରତି ସହାନୁଭୂତି ସିନା ଦେଖାଉ କିନ୍ତୁ ଖାଦ୍ୟ ନଷ୍ଟ ପ୍ରତି ଆଦୌ ନଜର ଦେଉନା । ଜାତିସଂଘ ତରଫରୁ ନିୟମିତ ଭାବେ ଏହାକୁ ନେଇ ସଚେତନ କରାଯାଉଛି । ହେଲେ ତଥାପି ଅନେକ ଦେଶ ଖାଦ୍ୟ ବରବାଦ କରିବାରେ କୁଣ୍ଠାବୋଧ କରୁନାହାନ୍ତି । ଏମିତିକି ଭାରତ ଓ ପାକିସ୍ତାନବାସୀ ମଧ୍ୟ ଅଯଥାରେ ଖାଦ୍ୟ ନଷ୍ଟ କରନ୍ତି ।
ଭାରତରେ ମୁଣ୍ଡ ପିଛା ଖାଦ୍ୟ ନଷ୍ଟର ପରିମାଣ ୫୦ କିଲୋ
କେଉଁଠି ଲୋକେ ଖାଇବାକୁ ପାଉ ନାହାନ୍ତି ତ ଆଉ କେଉଁଠି ଖାବା ଫିଙ୍ଗୁଛନ୍ତି । ଏକ ସର୍ଭେ ଅନୁଯାୟୀ ସାରା ବିଶ୍ୱରେ ୨୦୧୯ରେ ୯୩ କୋଟି ୧୦ ଲକ୍ଷ ଟନ୍‌ ଖାଦ୍ୟ ନଷ୍ଟ ହୋଇଛି । ଯାହା ସାରା ବିଶ୍ୱରେ ଯୋଗାଡ଼ େଉଥିବା ଖାଦ୍ୟର ୧୭ ପ୍ରତିଶତ । ଖାଲି ଅନୁମାନ କରନ୍ତୁ ୨୦୧୯ରେ ଆମେ ଏତେ ପରିମାଣର ଖାଦ୍ୟ ନଷ୍ଟ କରିଛନ୍ତି । ଆକଳନ ଅନୁସାରେ ପ୍ରତି ଭାରତୀୟ ବର୍ଷକୁ କମ୍‌ ୫୦ କିଲୋ ଖାଦ୍ୟ ନଷ୍ଟ କରୁଛି । ପୁଣି ଥରେ କହି ରଖୁଛୁ, ପ୍ରତି ପରିବାର ନୁହେଁ ପ୍ରତି ବ୍ୟକ୍ତି ହିସାବରେ ଏହା ଆକଳନ କରାଯାଇଛି ।
ଘରେ ହିଁ ବେଶି ଖାଦ୍ୟ ନଷ୍ଟ ହେଉଛି
ସର୍ଭେ ରିପୋର୍ଟ ଅନୁଯାୟୀ ଘରେ ହିଁ ସବୁଠାରୁ ଅଧିକ ଖାଦ୍ୟ ନଷ୍ଟ ହେଉଛି । ଲୋକେ ଠିକ୍‌ ଭାବେ ଆକଳନ ନକରି ଅଧିକ ଖାଦ୍ୟ ରାନ୍ଧିଥାନ୍ତି । ପରେ ଖାଇ ନପାରି ସେସବୁକୁ ଫିଙ୍ଗି ଦିଅନ୍ତି । ଏହା ପଛକୁ ରହିଛି ରେଷ୍ଟୁରାଣ୍ଟ ଓ ହୋଟେଲ । ଏହା ପରେ ତାଲିକାରେ ରହିଛି ଖୁଚୁରା ଦୋକାନୀଙ୍କ ନାଁ । ସେମାନେ ଖାଦ୍ୟ ଶସ୍ୟକୁ ଠିକଣା ଭାବେ ସାଇତି ରଖି ପାରନ୍ତି ନାହିଁ । ଯାହା କୌଣସି ନା କୌଣସି କାରଣରୁ ନଷ୍ଟ ହୁଏ ।
ପାକିସ୍ତାନରେ ୭୪ କିଲୋ
ଦକ୍ଷିଣ ଏସିଆରେ ଅନେକ ଦେଶ ଏଭଳି ଭାବେ ଖାଦ୍ୟ ବରବାଦ କରନ୍ତି । ପାକିସ୍ତାନରେ ବର୍ଷକୁ ମୁଣ୍ଡ ପିଛା ଖାଦ୍ୟ ନଷ୍ଟ ପରିମାଣ ହେଲା ୭୪ କିଲୋ । ତେବେ ଦକ୍ଷିଣ ଏସିଆରେ ସର୍ବାଧିକ ଖାଦ୍ୟ ନଷ୍ଟ କରେ ଆଫଗାନିସ୍ତାନ । ଏଠି ମୁଣ୍ଡପିଛା ଖାଦ୍ୟ ନଷ୍ଟ ପରିମାଣ ହେଉଛି ୮୨ କିଲୋ । ଏହା ପଛକୁ ଅଛନ୍ତି ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ । ଅବଶ୍ୟ ଦକ୍ଷିଣ ଏସିଆ ଦେଶ ତାଲିକାରେ ଭାରତ ସବା ତଳେ ରହିଛି । ତଥାପି ମୁଣ୍ଡ ପିଛା ୫୦ କିଲୋ ଖାଦ୍ୟ ନଷ୍ଟ କିଛି କମ୍‌ ନୁହେଁ ।

Spread the love