ଜୁନ ମାସରୁ ଖାଉଟିଙ୍କୁ ରାସନକାର୍ଡରେ ମିଳିବନି ଗହମ

କଟକ : ଆସନ୍ତା ଜୁନ ମାସରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ଆଉ ମିଳିବନି ଗହମ । ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ ଏବେଠାରୁ ୧୦ ମାସ ଯାଏ ଗହମ ମିଳିବନି । ଖାଉଟିଙ୍କୁ ଗହମ ବଦଳରେ ଚାଉଳ ମିଳିବ । ଅନ୍ୟପକ୍ଷରେ ଏହାର ପ୍ରଭାବରେ ଓଡ଼ିଶାରେ ଅଟା ଆଉ ସୁଜିର ମୂଲ୍ୟବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ)ରେ ଜଣେ ଖାଉଟି ଚାଉଳ କି’ ଗହମ ନେବେ ତାହା ସେ ପସନ୍ଦ କରୁଥିଲେ। ଖାଉଟିଙ୍କୁ ମୁଣ୍ଡ ପିଛା ମାସକ ପାଇଁ ୫ କେଜି ଗହମ ମିଳିଥାଏ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗହମ ଯୋଗାଣ ହେଉଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଓଡ଼ିଶାକୁ ଆସନ୍ତା ଜୁନ୍‌ରୁ ଆଉ ଗହମ ଯୋଗାଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଓଡ଼ିଶାକୁ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୪ ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ । କେବଳ କଟକ ଜିଲ୍ଲାକୁ ୨୯ ହଜାର କୁଇଣ୍ଟାଲ ଗହମ ଯୋଗାଣ ହୋଇଥାଏ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଗହମ ଯୋଗାଣ ବନ୍ଦ ହୋଇଗଲେ ସେତିକି ପରିମାଣର ଗହମ ବା ଅଟା ଖୋଲା ବଜାରରୁ ଉଠିବ । ଫଳରେ ଏହାର ପ୍ରଭାବରେବଜାରରେ ଅଟା ଏବଂ ସୁଜିର ଦର ହୁହୁ ହୋଇ ବଢିବାର ଆଶଙ୍କା ଦେଖାଦେଇଛି ।ଏ ସମ୍ପର୍କରେ କଟକ ବଣିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର କହିଛନ୍ତି, ଏହାର ପ୍ରଭାବ ନିଶ୍ଚିତ ଭାବରେ ଓଡ଼ିଶା ଖାଉଟି ବଜାର ଉପରେ ପଡ଼ିବ । ଏବେ ପୂର୍ବାପେକ୍ଷା ଓଡ଼ିଶାରେ ଗହମ ତଥା ଅଟାର ଚାହିଦା ବଢିଛି । କିନ୍ତୁ ଯେତିକି ଅଟା ଲୋକେ ଖାଉଥିଲେ ସେଥିରୁ କିଛି ଅଟା ସରକାରୀ ଯୋଗାଣ ଦ୍ୱାରା ପୂରଣ ହେଉଥିଲା । କିନ୍ତୁ ଏବେ ସେହି ସ୍ଥାନ ଖୋଲା ବଜାର ନେବ । ଯଦିଓ କିଛି ଲୋକ ଗହମ ନ ମିଳିବା କାରଣରୁ ଭାତ ଖାଇବାକୁ ପସନ୍ଦ କରିବେ କିନ୍ତୁ ସେମାନଙ୍କ ସଂଖ୍ୟା ନିଶ୍ଚୟ କମ୍‌ ରହିବ । ଫଳରେ ବଜାରରେ ଗହମରୁ ପ୍ରସ୍ତୁତ ଅଟା ଏବଂ ସୁଜିର ମୂଲ୍ୟରେ ନିଶ୍ଚିତ କିଛି ପରିମାଣର ବୃଦ୍ଧି ଘଟିବ ।ଏ ସମ୍ପର୍କରେ କଟକ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି, କେନ୍ଦ୍ର ଗହମ ଯୋଗାଣ ବନ୍ଦ କରିଦେବା ଫଳରେ ଏହାର ପ୍ରଭାବ ନିଶ୍ଚିତ ଭାବରେ ବଜାର ଉପରେ ପଡ଼ିବ । କିନ୍ତୁ ଏହା ଉପରେ ପ୍ରଶାସନର ନଜର ରହିବ । ବଜାରରେ ଯେପରି ମନମୁଖି ଭାବେ ବ୍ୟବସାୟୀ ମୂଲ୍ୟ ଧାର୍ଯ୍ୟ ନ କରନ୍ତି ବା ଖାଉଟିଙ୍କୁ ଶୋଷଣ ନ କରନ୍ତି ସେଥିପ୍ରତି ବିଶେଷ ପଦକ୍ଷେପ ନିଆଯିବ ।

Spread the love