ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଧରିବାକୁ ଯାଇ ମହିଳା ପୁଲିସ ଏସ୍‌ଆଇ ଆହତ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ମଙ୍ଗଳବାର ଦିନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଧରିବାକୁ ଯାଇ ସ୍ଥାନୀୟ ଥାନାର ମହିଳା ଏଏସ୍‌ଆଇ ଆହତ ହୋଇଛନ୍ତି। ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ପୁଲିସ କର୍ମଚାରୀ ହେଲେ ମଧୁସ୍ମିତା ବେହେରା।

ଆଜି ଅପରାହ୍‌ଣ ସମୟରେ ଅବସର ସେନା କର୍ମଚାରୀ ସରୋଜ ଦାସ ବାଙ୍କୀର ଶିମିଳିପୁରସ୍ଥିତ ଏକ ପଡ଼ିଆରେ ସାଙ୍ଗମାନଙ୍କ ସହିତ ଥିଲେ। ସେ ହାତରେ ଏକ ଖଣ୍ଡା ଧରିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଏସ୍‌ଆଇ ମଧୁସ୍ମିତା ବେହେରା ସୂଚନା ପାଇଥିଲେ। ସେ ଘଟଣାର ତଦନ୍ତ ପାଇଁ ପୁଲିସ ଟିମ୍‌ ସହିତ ଶିମିଳିପୁରକୁ ଯାଇଥିଲେ। ଏହି ସମୟରେ ସରୋଜ ଦାସ ଓ ତାଙ୍କ ସାଙ୍ଗମାନେ ଗାଁର ଏକ ପଡ଼ିଆରେ ଥିଲେ। ପୁଲିସ ଟିମ୍‌ ଯେତେବେଳେ ସରୋଜ ଦାସଙ୍କୁ ଧରିବାକୁ  ଉଦ୍ୟମ କରିଥିଲେ। ଅନ୍ୟ ସାଙ୍ଗମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଯୁବଗୋଷ୍ଠୀ ଓ ପୁଲିସ ଟିମ୍‌ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବଗୋଷ୍ଠେୀଙ୍କ ଠେଲାପୋଲରେ ଏସ୍‌ଆଇ ମଧୁସ୍ମିତା ବେହେରା ତଳେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବାଙ୍କୀ ଉପଖଣ୍ଡ ଚିକିିତ୍ସଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀମତୀ ବେହେରାଙ୍କୁ ଅକ୍ସଜେନ ଦିଆଯାଇଛି। ଗୋଡ଼ରେ ମଧ୍ୟ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି।

ଅଳ୍ପ କିଛି ଦିନ ପୂର୍ବରୁ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ହାତରେ ଖଣ୍ଡା ଓ ହାତୁଡି ଧରି ଉନ୍ମତ୍ତ କାଣ୍ଡ ଭିଆଇଥିବା ସାଧାରଣରେ ଆତଙ୍କ ଓ କୌତୁହଳ ସୃଷ୍ଟି କରିଥିଲା। ବାଙ୍କୀ ସହର ସନ୍ନିକଟ ହରିରାଜପୁର ଗ୍ରାମର ସରୋଜ ହାତରେ ଖଣ୍ଡା ଓ ହାତୁଡି ଧରି ସହର ମଧ୍ୟରେ ବୁଲାବୁଲି କରିବା ସହ ତାଙ୍କ ପାଖକୁ ଯିଏ ଆସିଲା ତାକୁ ଧମକାଉଥିଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଯିବାକୁ କୈାଣସି ବ୍ୟକ୍ତି ସାହସ ଯୁଟାଇ ପାରିନଥିଲେ। ଏହାସହ ବାଙ୍କୀ କଲେଜ ନିକଟରେ ଥିବା ଏକ ଏଟିଏମ ପାଖରେ ମଧ୍ୟ ଉତ୍ପାତ କରି ସମସ୍ତଙ୍କୁ ଭୟଭୀତ କରିଥିଲେ। ପରେ ସେ ବାଙ୍କୀ କଚେରୀ ପଡ଼ିଆରେ ମଧ୍ୟରେ ରହି ସମସ୍ତଙ୍କୁ ଧମକ ମଧ୍ୟ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଏତାଦୃଶ କାରନାମା ଦେଖିବାକୁ କଚେରୀ ପଡ଼ିଆ ଚାରିପଟେ ବହୁବ୍ୟକ୍ତି ଭିଡ ଜମାଇ ଦେଇଥିଲେ। ସେଦିନ ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଆତଙ୍କ ଖେଳାଇବା ପରେ ବାଙ୍କୀ ପୁଲିସ ଖବର ପାଇ ସରୋଜଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଖଣ୍ଡା ଧରି ପୁଲିସକୁ ଗୋଡାଇବାରୁ ତାଙ୍କୁ କାବୁ କରିବା ସମ୍ଭବ ହୋଇନଥିଲା। ସରୋଜ ଅବସର ଗ୍ରହଣ କରିବା ପରେ ଏକ ହାଇୱା କିଣି ବ୍ୟବସାୟ କରୁଥିବା ବେଳେ ବାଙ୍କୀ ପୁଲିସ ପକ୍ଷରୁ ଉକ୍ତ ଗାଡିର କାଗଜପତ୍ର ଠିକ ନଥିବାରୁ ତାକୁ ଜବତ କରାଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କଚେରୀ ପଡିଆ ଠାରେ ଉକ୍ତ ବ୍ୟକ୍ତି ପାଟିକରି କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରି ସେମାନେ ତାଠାରୁ ଟଙ୍କା ହଡପ କରିଥିବା କହୁଥିବା ମଧ୍ୟ ଦେଖାଯାଇଥିଲା। ତେବେ ଆତଙ୍କ ସୃଷ୍ଟିକରି ସେଠାରୁ ଉକ୍ତ ବ୍ୟକ୍ତି ଖସି ଯାଇଥିବା ବେଳେ ପୁଲିସ ପକ୍ଷରୁ ସରୋଜଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି।

Spread the love