ଅନଲାଇନରେ ବିକ୍ରି ହେଲାଣି ଚୁଲି ପାଉଁଶ, କିଲୋ ୬୫୦

ଆପଣମାନେ ନିଶ୍ଚିନ୍ତ ଭାବେ ଚୁଲି ପାଉଁଶ ଓ କାଠରୁ ମିଳୁଥିବା ଅଙ୍ଗାର ବାବଦରେ ଜାଣିଥିବେ । କିଛିବର୍ଷ ପୂର୍ବରୁ ଗାଁର ଲୋକମାନେ ଏହାକୁ ବାସନ ମାଜିବା ଓ ଅଙ୍ଗାରକୁ ଦାନ୍ତ ସଫା କରିବା ଭଳି କାମରେ ଲଗାଇଥାନ୍ତି । ବାକି ବଳିଥିବା ପାଉଁଶକୁ ସାର ଆକାରରେ ବ୍ୟବହାର କରାଯାଇଥାଏ। କିନ୍ତୁ ସମୟ ସହ ଲୋକଙ୍କ ଚାହିଦା ବଦଳିବାରୁ ଧୀରେ ଧୀରେ ଲୋକେ ପାଉଁଶ ବ୍ୟବହାର କରିବା ବନ୍ଦ କରିଦେଇଥିଲେ। ଗାଁ ଗହଳିରେ ଲୋକେ ପାଉଁଶର ବ୍ୟବହାର କରୁଥିଲେ ମଧ୍ୟ ସହରରେ ଏହାର ବ୍ୟବହାର କେହି ମଧ୍ୟ କରୁନଥିଲେ। ହେଲେ ବର୍ତ୍ତମାନ ଡିଜିଟାଲ ଯୁଗରେ ପାଉଁଶର ବ୍ୟବହାରଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ଆସିଛି।
ଏବେ ଇ-କମର୍ସ କମ୍ପାନିମାନେ ସୁନ୍ଦର ଭାବେ ପ୍ୟାକିଂ କରି ଏହାକୁ ଅନଲାଇନରେ ‘ଡିସ୍ ୱାସିଂ ଉଡଆସ’ ନାମରେ ବିକ୍ରି କରୁଛନ୍ତି । ବିଭିନ୍ନ କମ୍ପାନିମାନେ ଏହାକୁ ସୁନ୍ଦର ପ୍ୟାକିଂ କରି ବହୁମୂଲ୍ୟରେ ବିକ୍ରି କରୁଛନ୍ତି । ୨୦୫ ଗ୍ରାମ ପାଉଁଶ ପ୍ୟାକେଟର ଦାମ ରହିଛି ୩୯୯ ଟଙ୍କା । ହେଲେ କମ୍ପାନିମାନେ ଏହା ଉପରେ ରିହାତି ଦେଉଛନ୍ତି । ରିହାତି ପରେ ୨୫୦ ଗ୍ରାମ ପାଉଁଶର ମୂଲ୍ୟ ରହିଛି ୧୬୦ ଟଙ୍କା। ଅର୍ଥାତ ଗୋଟିଏ କିଲୋଗ୍ରାମ ପାଉଁଶ କିଣିବାକୁ ହେଲେ ଆପଣଙ୍କୁ ୬୫୦ ଟଙ୍କା ଦେବାକୁ ପଡ଼ିବ।
ଇ-କମର୍ସ ୱେବସାଇଟ ଅନୁଯାୟୀ ଏହି ପାଉଁଶକୁ ବାସନ ମାଜିବା ପାଇଁ ବ୍ୟବହାର କରିବା ସହ ଏହାକୁ ଗଛରେ ସାର ଆକାରରେ ପ୍ରୟୋଗ କଲେ ଭଲ ଫଳ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ ବୈଜ୍ଞାନିକମାନଙ୍କ ମତରେ ପାଉଁଶରେ ବାସନ ମାଜିବା ଲାଭ ଦାୟକ । କାରଣ ଏଥିରେ କାର୍ବନ ରହିଛି ଯାହାକି ବାସନରୁ ମଇଳା ଓ ତେଲର ଦାଗ ଛଡ଼ାଇବା ସହଜ କରିଥାଏ । ଏହାସହ ପାଉଁଶରେ ପୋଟାସିୟମ ଥିବାରୁ ଏହାକୁ ଶଷ୍ୟକ୍ଷେତରେ ବ୍ୟବହାର କଲେ ଜମି ଉର୍ବର ରହିବା ସହ ଅଧିକ ଫଳ ମିଳିଥାଏ ।

Spread the love