ଆଜି ସକାଳ ୧୦ଟାରୁ ଦିନ ୧ଟା ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା, ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରୁଛି ଛାତ୍ର ରାଜନୀତି । ଆଜିଠୁ ଆରମ୍ଭ ହେଉଛି ନିର୍ବାଚନର ପ୍ରମୁଖ ପ୍ରକ୍ରିୟା । ଏଥିପାଇଁ କ୍ୟାମ୍ପସଗୁଡ଼ିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି । ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିପାରିବେ । ଏହାପରେ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ କରାଯିବ। ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୭ ପରଠାରୁ ରାଜ୍ୟରେ ନିୟମିତ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । କ୍ୟାମ୍ପସରେ ହିଂସା, ଗଣ୍ଡଗୋଳ ଓ ଶିକ୍ଷାର ବାତାବରଣ ପ୍ରଭାବିତ ହେବା ଭଳି କାରଣକୁ ନେଇ ପୂର୍ବରୁ ନିର୍ବାଚନ ଉପରେ ରୋକ୍ ଲଗାଯାଇଥିଲା । ଏବେ ପୁଣି ନିର୍ବାଚନ ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଏବେ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଆହ୍ୱାନ ।

ନାମାଙ୍କନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକସ୍ଥଳେ ପୋଲିସ ସହାୟତା ନିଆଯିବ । ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ନିୟମ ମାନିବାକୁ ପଡ଼ିବ । ଲିଙ୍ଗଡୋ କମିଟିର ସୁପାରିସ ଅନୁଯାୟୀ, ନିର୍ବାଚନୀ ଖର୍ଚ୍ଚ, ପ୍ରଚାର, ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଶୃଙ୍ଖଳା ସମ୍ପର୍କିତ ନିୟମ ରହିଛି। କ୍ୟାମ୍ପସରେ ହିଂସା, ଧମକଚମକ ଓ ବାହାର ଲୋକଙ୍କ ହସ୍ତକ୍ଷେପକୁ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ରହିବ ।

ଅନ୍ୟପଟେ ଦୀର୍ଘଦିନ ପରେ ହେଉଥିବା ଏହି ନିର୍ବାଚନକୁ ନେଇ ଛାତ୍ର ସଂଗଠନଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି । କ୍ୟାମ୍ପସରେ ଶିକ୍ଷାର ମାନ, ଅଧ୍ୟାପକ ଅଭାବ, ହଷ୍ଟେଲ ସମସ୍ୟା, ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ଅଧିକାର ଭଳି ପ୍ରସଙ୍ଗ ନିର୍ବାଚନରେ ପ୍ରମୁଖ ସ୍ଥାନ ପାଇପାରେ । ଏହି ନିର୍ବାଚନ କେବଳ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରତିନିଧି ଚୟନ ମଧ୍ୟରେ ସୀମିତ ନାହିଁ। ରାଜ୍ୟର ଯୁବପିଢ଼ିଙ୍କ ରାଜନୈତିକ ମନୋଭାବ ଜାଣିବା ପାଇଁ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଭାବେ ଦେଖାଯାଉଛି ।

Spread the love

Leave a Reply

Your email address will not be published. Required fields are marked *