ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ ଗସ୍ତ କରି ଉଦ୍ୟୋଗପତି ଓ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବେ । ଆଜି ଅହମ୍ମଦାବାଦରେ ବଡ ନିବେଶକ ରୋଡ୍ ଶୋ ଅନୁଷ୍ଠିତ ହେବ । ଏଥି ସହ ଅଗ୍ରଣୀ ଉଦ୍ୟୋଗପତିଙ୍କ ସହ ରାଉଣ୍ଡଟେବୁଲ ବୈଠକ ଓ One-to-One Meeting ଆୟୋଜିତ ହେବ । କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶାରେ ନିବେଶକୁ ତ୍ୱରାନ୍ୱିତ କରିବା ସହ ବୁଝାମଣାପତ୍ର ସ୍ୱାକ୍ଷର ହେବ ଏବଂ ନିବେଶ ପାଇଁ ଇଣ୍ଟେଣ୍ଟ୍ ଲେଟର ଆସିବ । ଏହି ଗସ୍ତରେ ବୟନ ଓ ପୋଷାକ, ରାସାୟନିକ ଓ ପେଟ୍ରୋକେମିକାଲ୍ସ, ମେଟାଲ୍ ସ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ଔଷଧ ଓ ମେଡିକାଲ ଉପକରଣ ପରି ଉଚ୍ଚ-ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ ।

ଏହା ମାଧ୍ୟମରେ ପଶ୍ଚିମ ଭାରତରୁ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ସହ ଓଡ଼ିଶାର ଦ୍ରୁତ ବିକାଶଶୀଳ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ପୋର୍ଟ-ଲେଡ୍ ବିକାଶକୁ ଆଗେଇ ନେବା ପାଇଁ ପ୍ରତିନିଧି ଦଳ ମେ ୬ ତାରିଖରେ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବେ, ଯାହା ଲଜିଷ୍ଟିକ୍ ସ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନାର ସୁଯୋଗକୁ ବ୍ୟାପକ କରିବ। ମେ ୭ରେ ଭଦୋଦରାରେ ନିବେଶକଙ୍କ ସହ ବୈଠକ ଆୟୋଜିତ ହେବ ଏବଂ ସରକାରୀ କାର୍ଯ୍ୟକ୍ରମର ଅଂଶ ଭାବରେ କେଭାଡିଆ ମଧ୍ୟ ଗସ୍ତ କରାଯିବ, ଯାହା ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ସାମିଲ ହେବେ । ନିବେଶ ଆକର୍ଷଣ ଓ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଏହି ଗସ୍ତ ନିର୍ଣ୍ଣାୟକ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *