ଆସନ୍ତା ୨୪ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଅବପାତ ନା ବାତ୍ୟା?

ଭୁବନେଶ୍ୱର :୨୪ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଅବପାତ ନା ବାତ୍ୟା? ମଡେଲ୍ ରେ ଭିନ୍ନ ସଙ୍କେତ, ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ? ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ଏକ ନୂଆ ଲଘୁଚାପ । ଆସନ୍ତାକାଲି ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସହ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ପରବର୍ତ୍ତୀ ସମୟରେ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେ ବି ଅନିଶ୍ଚିତ । ବିଭିନ୍ନ ପାଣିପାଗ ମଡେଲ୍ ରେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ସଙ୍କେତ ମିଳୁଛି ।

ଭାରତୀୟ ପାଣିପାଗ ବିଭାଗର ଅକ୍ଟୋବର ୧୯ ତାରିଖର ଟ୍ରପିକାଲ୍ ୱେଦର୍ ଆଉଟ୍ ଲୁକ୍ ଅନୁସାରେ, ଗଲ୍ଫ ଅଫ୍ ଥାଇଲାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ରହିଛି । ଆସନ୍ତାକାଲି ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିପାରେ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସଙ୍କେତ ରହିଛି। ଅନ୍ୟପଟେ ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।
ତେଣୁ ବଙ୍ଗୋପସାଗରର ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି । ଅକ୍ଟୋବର ୧୯ ତାରିଖ ସକାଳ ୦୩୦୦ UTCରେ ଜାରି ଆଇଏମଡିର ଟ୍ରପିକାଲ୍ ୱେଦର୍ ଆଉଟ୍ ଲୁକ୍ ରେ ଆଗାମୀ ୧୬୮ ଘଣ୍ଟା ବା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଅବପାତ ଗଠନର ସମ୍ଭାବନାକୁ ‘NIL’ ଶ୍ରେଣୀରେ ରଖାଯାଇଛି । ଅର୍ଥାତ୍ ଏହି ଆକଳନରେ ଅବପାତ ଗଠନର ସଙ୍କେତ ଦିଆଯାଇନାହିଁ । ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ପୂର୍ବାନୁମାନ ଦିଆଯାଇନାହିଁ । ବଙ୍ଗୋପସାଗରରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥାକୁ ନେଇ ୟୁରୋପୀୟ ପାଣିପାଗ ମଡେଲ୍ ECMWF ଓ ଅନ୍ୟ କେତେକ AI ଆଧାରିତ ମଡେଲ୍ ରେ ଅବପାତ କିମ୍ବା ଗଭୀର ଅବପାତ ପର୍ଯ୍ୟନ୍ତ ଶକ୍ତିଶାଳୀ ହେବାର ସଙ୍କେତ ମିଳୁଛି । କେତେକ ମଡେଲ୍ ରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ରହିଛି । ଅନ୍ୟ କେତେକ ମଡେଲ୍ ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ ଦିଗକୁ ଗତିପଥ ଦର୍ଶାଉଛନ୍ତି ।
ଅନ୍ୟପଟେ ଆଇଏମଡି GFS ଓ ଆଉ କିଛି ମଡେଲ୍ ରେ ଏହା ଅପେକ୍ଷାକୃତ ଦୁର୍ବଳ ପାଣିପାଗ ବ୍ୟବସ୍ଥା ଭାବେ ରହିବାର ସଙ୍କେତ ମିଳୁଛି। NCEP GFSର ବିଭିନ୍ନ ମଡେଲ୍ ରନ୍ ରେ ମଧ୍ୟ ସମୟ ଓ ଗତିପଥରେ ପରିବର୍ତ୍ତନ ଦେଖାଯାଉଛି। ତେଣୁ କେବଳ ଗୋଟିଏ ମଡେଲ୍ ର ପୂର୍ବାନୁମାନ ଆଧାରରେ ଏବେଠାରୁ ବାତ୍ୟା ହେବ କିମ୍ବା ଓଡ଼ିଶା ମୁହାଁ ହେବ ବୋଲି କହିବା ଠିକ୍ ନୁହେଁ । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଉପକୂଳ ଉପରେ ପ୍ରଭାବ ପକାଇବ କି? ବର୍ତ୍ତମାନର ଆକଳନ ଅନୁସାରେ ଓଡ଼ିଶା ପାଇଁ କୌଣସି ନିଶ୍ଚିତ ବାତ୍ୟା ବିପଦର ସଙ୍କେତ ନାହିଁ ।

ତେବେ ଲଘୁଚାପ ଗଠନ ହେଲେ ଏହାର ଗତିପଥ, ତୀବ୍ରତା ଏବଂ ସମ୍ଭାବ୍ୟ ବର୍ଷା ପ୍ରଭାବ ଉପରେ ଅଧିକ ସ୍ପଷ୍ଟତା ମିଳିପାରିବ। ବିଶେଷକରି ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ପାଣିପାଗ ବ୍ୟବସ୍ଥାର ରୂପରେଖ ଅଧିକ ସ୍ପଷ୍ଟ ହେବାର ଆଶା ରହିଛି । ଏହି ସମୟରେ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଓ ସତର୍କ ସୂଚନା ଉପରେ ନଜର ରଖିବା ଜରୁରୀ । ଅକ୍ଟୋବର ଓ ନଭେମ୍ବର ହେଉଛି ବଙ୍ଗୋପସାଗରରେ ପରବର୍ତ୍ତୀ ମୌସୁମୀ ବାତ୍ୟା ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ।

ବର୍ତ୍ତମାନ MJO ଫେଜ୍ ୩ରେ ରହିଥିବାରୁ ବଙ୍ଗୋପସାଗରରେ ବାଦଲ ସୃଷ୍ଟି ଓ ବାୟୁମଣ୍ଡଳୀୟ ସକ୍ରିୟତା ବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ରହିପାରେ । କିନ୍ତୁ ଏହାର ଅର୍ଥ ନିଶ୍ଚିତ ବାତ୍ୟା ସୃଷ୍ଟି ହେବା ନୁହେଁ । ଏବେ ନଜର ରହିଛି ଆସନ୍ତାକାଲିର ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଏବଂ ୨୪ ବେଳକୁ ଲଘୁଚାପ ଗଠନ ଉପରେ । ଏହା ପରେ ପାଣିପାଗ ବ୍ୟବସ୍ଥା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଆଗାମୀ ଦିନର ପାଣିପାଗ ଆକଳନରୁ ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *