ଉତ୍ତର ପ୍ରଦେଶରେ ସପ୍ତାହକରେ ୧୫ ମୃତ
ଦେଶରେ ଏକସାଙ୍ଗରେ ଦୁଇଟି ପଶ୍ଚିମାଝଡ଼ ସକ୍ରିୟ ହେବା ଯୋଗୁ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି। ଉତ୍ତରାଖଣ୍ଡରେ ଚାରିଧାମ – କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରି ଓ ଯମୁନେତ୍ରିରେ ପ୍ରବଳ ତୁଷାରପାତ ହେଉଛି। ଏହାସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜସ୍ଥାନରେ ଶ୍ରୀଗଙ୍ଗାନଗର, ହନୁମାନଗଡ଼, ନାଗୋର ସମେତ ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ କୁଆପଥର ବର୍ଷା ହେଉଛି। ଅନେକ ଜିଲ୍ଲାରେ ଏକ ଇଞ୍ଚରୁ ଅଧିକ ବର୍ଷା ହୋଇଛି । ଭାରତପୁର ଜିଲ୍ଲାରେ ବଜ୍ରପାତ ଯୋଗୁ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିଛି। ବର୍ଷା ଯୋଗୁ ରାଜସ୍ଥାନରେ ତାପମାତ୍ରା ୭ ଡିଗ୍ରି ହ୍ରାସ ପାଇଛି । ଉତ୍ତର ପ୍ରଦେଶର ମିରଟ, ବରେଲି, ଶାହଜାହାନପୁରରେ ଅପରାହ୍ଣରେ କୁଆପଥର ବର୍ଷା ହୋଇଛି। ଲକ୍ଷ୍ନୌ, ଗୋରଖପୁର, ଗୋଣ୍ଡା, ଜୌନପୁର, ଅଲିଗଡ଼ ସମେତ ୨୫ ଜିଲ୍ଲାରେ ଆଜି ପ୍ରବଳ ପବନ ସହିତ ତୁହାକୁ ତୁହା ବର୍ଷା ହୋଇଛି । ଗତ ଏକ ସପ୍ତାହ ହେଲା ଉତ୍ତର ପ୍ରଦେଶରେ ଝଡ଼ବର୍ଷା ଓ ବଜ୍ରପାତ ଯୋଗୁ ୧୫ ଜଣ ଲୋକଙ୍କର ମୃତ୍ୟୁ ହେଲାଣି। ମଧ୍ୟପ୍ରଦେଶରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ପାଣିପାଗ ବିଭାଗ ୧୮ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରିଛି। ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ଜମ୍ମୁ-ଶ୍ରୀନଗର ହାଇୱେ ବନ୍ଦ ହୋଇଯାଇଛି।
