ଏକାଠି ପଢ଼ିବେ ଦୁଇ ଯାଆଁଳା ଭାଇ, ଜଣଙ୍କ ପାଇଁ ଆଉ ଜଣେ ଛାଡିଲା IIT Bombay ସିଟ୍
ଭୁବନେଶ୍ୱର : ଏକାଠି ପଢ଼ିବେ ଦୁଇ ଯାଆଁଳା ଭାଇ । ଯାଆଁଳା ଭାଇଙ୍କ ସହ ପଢ଼ିବା ପାଇଁ IIT Bombay ସିଟ୍ ଛାଡ଼ିଲେ ଓଡ଼ିଶା ପୁଅ । ଭାଇ ସହ ଏକାଠି ପଢ଼ିବା ପାଇଁ ଜଣେ ଭାଇ ଦେଶର ସବୁଠୁ ପ୍ରତିଷ୍ଠିତ IIT Bombay ର କମ୍ପ୍ୟୁଟର ସାଇନ୍ସ ସିଟ୍ କୁ ଛାଡ଼ିଛନ୍ତି । ମହରୁଫ୍ ଓ ମସରୁର ପିଲାଦିନରୁ ଏକାଠି ପଢ଼ୁଛନ୍ତି । ନିକଟରେ ପ୍ରକାଶିତ JEE Main 2026 ର ପ୍ରଥମ ସେସନ୍ ରେ ଉୟଭ ସମାନ ୯୯.୯୯୮୪ ପରସେଣ୍ଟାଇଲ୍ ରଖି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ନୋଟ୍ସ ଶେୟାର କରିବା ଠାରୁ ଆରମ୍ଭ କରି ମକ୍ ଟେଷ୍ଟ ପର୍ଯ୍ୟନ୍ତ, ଉଭୟ ଉଭୟଙ୍କର ସବୁଠୁ ବଡ଼ ସପୋର୍ଟ ସିଷ୍ଟମ ଥିଲେ । କିନ୍ତୁ, JEE Advanced 2026 ପରୀକ୍ଷା ଫଳରେ ଉଭୟଙ୍କ ରାଙ୍କରେ ସାମାନ୍ୟ ପାର୍ଥକ୍ୟ ରହିଛି।
ମହରୁଫ୍ ଅହମ୍ମଦ ଖାନ ଅଲ୍ ଇଣ୍ଡିଆ ରାଙ୍କ ୩୨ ରଖିଥିବା ବେଳେ ମସରୁର ଅହମ୍ମଦ ଖାନ୍ ଅଲ୍ ଇଣ୍ଡିଆ ରାଙ୍କ ୧୬୯ ରଖିଥିଲେ । ରାଙ୍କ ଅନୁସାରେ, ମହରୁଫ୍ ଙ୍କୁ IIT Bombay ରେ ସବୁଠୁ ଅଧିକ ଚାହିଦା ଥିବା ‘କମ୍ପ୍ୟୁଟର ସାଇନ୍ସ’ ବ୍ରାଞ୍ଚ ସହଜରେ ମିଳୁଥିଲା। ଯେକୌଣସି ଟପ୍ପରଙ୍କ ପାଇଁ ଏହା ଏକ ସ୍ୱପ୍ନର ସିଟ୍ । ଅପରପକ୍ଷରେ, ମସରୁରଙ୍କ ରାଙ୍କ ୧୬୯ ଅନୁସାରେ IIT Madras ରେ CS ମିଳୁଥିଲା । କିନ୍ତୁ IIT Bombay ରେ ମିଳିବା ସମ୍ଭବ ନଥିଲା । ତେବେ ମସରୁରଙ୍କ ପାଇଁ ମହରୁଫ୍ IIT Bombay ଛାଡିଛନ୍ତି । କହିଛନ୍ତି, ମୁଁ ମୋ ଭାଇ ସହିତ ପଢ଼ିବାକୁ ଚାହେଁ। ତେଣୁ ଆମେ ଦୁହେଁ IIT Madras ରେ କମ୍ପ୍ୟୁଟର ସାଇନ୍ସ ନେଇ ଏକାଠି ପଢ଼ିବାକୁ ନିଷ୍ପତ୍ତି ନେଇଛୁ ।
