ଓଡ଼ିଶାର ପରବର୍ତ୍ତୀ DGP ଚୟନକୁ ନେଇ ଚର୍ଚ୍ଚା, ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ FIR
ଭୁବନେଶ୍ୱର : ଡିଜିପି ରେସରେ ବଡ଼ ଟ୍ବିଷ୍ଟ । ଓଡ଼ିଶାର ପରବର୍ତ୍ତୀ DGP ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଅଭିଯୋଗ ଓ ଚୌଦ୍ୱାର IICଙ୍କ ନାମରେ FIR ପ୍ରସଙ୍ଗ ନୂଆ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି । ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଏଫଆଇଆର ପାଇଁ ଲେଖିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର । ବର୍ତ୍ତମାନର ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅଵସର ନେବାକୁ ଯାଉଛନ୍ତି ।
ଏପଟେ ରାଜ୍ୟରେ ନୂଆ ପୋଲିସ ଡିଜି କିଏ ହେବେ ତାର ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ୟୁପିଏସସିକୁ ନାମ ପଠାଇବା ଆବଶ୍ୟକ । ସେହି ଅନୁସାରେ ୩୦ ବର୍ଷ ଅଭିଜ୍ଞତା ଥିବା ଆଇପିଏସ ମାନଙ୍କ ନାମ ରାଜ୍ୟ ସରକାର ପଠାଇଛନ୍ତି । ନୂଆ ଡିଜି ଚୟନ କିଛି ଦିନ ବାକି ଥିବା ବେଳେ ସୁଜିତ କୁମାର ଚୌଦ୍ୱାର ଥାନା ଆଇଆଇସିଙ୍କୁ ଏଫଆଇଆର ପାଇଁ ଚିଠି ଲେଖିବା ଡିଜି ଚୟନରେ ବଡ଼ ଟ୍ଵିଷ୍ଟ ଆଣିଛି । ଗତକାଲି ରାଜ୍ୟସଭା ସାଂସଦ ସୁଜିତ କୁମାର ଗତ ଦଶହରା ବେଳେ ଜେଲରୁ କଏଦୀ ଫେରାର ହେବା ଘଟଣାରେ ଏକ ଏଫଆଇଆର ରୁଜ୍ଜୁ ପାଇଁ ଚିଠି ଲେଖିଛନ୍ତି । ଜେଲ ଡିଜି ସୁଶାନ୍ତ ନାଥଙ୍କ ପାଇଁ କଏଦୀ ଖସି ଗଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ଏଫଆଇଆର ରୁଜ୍ଜୁ ହୋଇ ତଦନ୍ତ ପରେ କଣ ହେବ ସେ ଭିନ୍ନ କଥା । କିନ୍ତୁ ଏହାର ଏକ ବଡ଼ ପ୍ରଭାବ ରାଜ୍ୟରେ ପରବର୍ତ୍ତୀ ଡିଜିପି ଚୟନରେ ଦେଖାଯିବ ।
ଏବେ ଓଡ଼ିଶାରେ ପରବର୍ତ୍ତୀ ଡିଜିପି ହେବା ପାଇଁ ପ୍ରମୁଖ ତିନି ଦାବିଦାରଙ୍କ ମଧ୍ୟରେ ଅଛନ୍ତି ୧୯୯୦ ବ୍ୟାଚ ଆଇପିଏସ ଫାୟାର, ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଗୁଇନ୍ଦା ନିର୍ଦ୍ଦେଶକ ଆର ପି କୋଚେ ଓ ଜେଲ ଡିଜି ସୁଶାନ୍ତ ନାଥ । ଯଦି ସୁଶାନ୍ତ ନାଥଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବ ତେବେ ସେ ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟାରୁ ବାଦ ପଡିଯିବେ । ସେପଟେ ସୁଧାଂଶୁ ଷଡ଼ଙ୍ଗୀ କେନ୍ଦ୍ରରେ ଡିଜି ପଦବୀ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି । ନିକଟ ଅତୀତରେ କେନ୍ଦ୍ରରେ ଡିଜି ପଦବୀ ପାଇଁ ଏମ୍ପପାନେଲ ହୋଇଥିବା ତାଲିକାରେ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ରହିଛି । ତେଣୁ ସୁଧାଂଶୁ ଷଡ଼ଙ୍ଗୀ ଓଡିଶା ଡିଜିପି ରେସରୁ ବାଦ ପଡିଲେ ୧୯୯୪ ବ୍ୟାଚର ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଞ୍ଜୀବ ପଣ୍ଡା ଓ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ନାମ ବିଚାରକୁ ଆସିବ । ତେଣୁ ସୁଜିତ କୁମାରଙ୍କ ଏହି ଏଫଆଇଆର ପରେ ୧୯୯୪ ବ୍ୟାଚର ଏହି ଦୁଇ ଆଇପିଏସ ଅଫିସରଙ୍କ ନାମ ଡିଜିପି ରେସକୁ ଆସିଯିବ । ଏବେ ସମସ୍ତଙ୍କ ନଜର UPSCର ସୁପାରିଶ ଓ ରାଜ୍ୟ ସରକାରଙ୍କ ଶେଷ ନିଷ୍ପତ୍ତି ଉପରେ ।
