କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣା: ସଫେଇ ରଖିଲା ବ୍ୟାଙ୍କ, କିନ୍ତୁ ଭୁଲ କେଉଁଠି?
କେନ୍ଦୁଝର : ନିୟମ ବଡ଼ ନା ମାନବିକତା ? ସଫେଇ ରଖିଲା ବ୍ୟାଙ୍କ କିନ୍ତୁ ଭୁଲ କେଉଁଠି ? କେନ୍ଦୁଝର ଜିଲ୍ଲା ପାଟଣାର ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଘଟିଥିବା କଙ୍କାଳ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ବ୍ୟାଙ୍କ ନିଜ ସଫେଇରେ ନିୟମ କଥା କହିଥିଲେ । କିନ୍ତୁ ଜଣେ ଅସହାୟ ବ୍ୟକ୍ତିଙ୍କ ପ୍ରତି ବ୍ୟବହାର କିପରି ଅଧିକ ମାନବୀୟ ହୋଇପାରିଥାନ୍ତା ସେନେଇ ପ୍ରଶ୍ନ ଉଠିଛି । କେବଳ ନିୟମ ନୁହେଁ, ସହଯୋଗର ହାତ ବଢ଼ାଇବା ଆବଶ୍ୟକ ଥିଲା । ବ୍ୟାଙ୍କ କର୍ମଚାରୀ କେବଳ “ଡେଥ୍ ସାର୍ଟିଫିକେଟ୍ ଆଣ” କହି ନିଜ କାମ ସାରିଦେଲେ । କିନ୍ତୁ ଜଣେ ଅଶିକ୍ଷିତ ଅସହାୟ ବ୍ୟକ୍ତି ଡେଥ ସାର୍ଟିଫିକେଟ କେଉଁଠୁ ଆଣିବେ ସେଥିପାଇଁ ବ୍ୟାଙ୍କ କର୍ମଚାରୀ ସ୍ଥାନୀୟ ସରପଞ୍ଚ କିମ୍ବା ପ୍ରଶାସନ ସହ କଥା ହୋଇ ତାଙ୍କୁ ସାହାଯ୍ୟ କରିପାରିଥାନ୍ତେ ।
ବ୍ୟାଙ୍କ ଅଧିକାରୀମାନେ ତାଙ୍କ ସହ ଧୈର୍ଯ୍ୟର ସହ କଥା ହୋଇ ଜଣେ ‘ବ୍ୟାଙ୍କ ମିତ୍ର’ଙ୍କ ଜରିଆରେ ବୁଝାସୁଝା କରିଥିଲେ ହୁଏତ ଜିତୁ ମୁଣ୍ଡା ଏଭଳି ଚରମ ପଦକ୍ଷେପ ନେଇନଥାନ୍ତେ । ଯେତେବେଳେ ଦିଆନାଳୀ ଗାଁର ଜିତୁ ମୁଣ୍ଡା ପ୍ରଥମ ଥର ବ୍ୟାଙ୍କକୁ ଆସି ବିରକ୍ତ ହେଉଥିଲେ, ସେତେବେଳେ ତାଙ୍କୁ ଅଲଗା ବସାଇ ଶାନ୍ତ ଭାବରେ ବୁଝାଇଥିଲେ ପରିସ୍ଥିତି ଏତେ ଖରାପ ହୋଇନଥାନ୍ତା । ତାଙ୍କ ଦୁଃଖକୁ ବୁଝିବା ପରିବର୍ତ୍ତେ କେବଳ ନିଶାସକ୍ତ କହି ଦୂରେଇ ଦେବା ମାନବୀୟ ନୁହେଁ । ଜିତୁଙ୍କ ଭଉଣୀ କଲରା ମୁଣ୍ଡାଙ୍କ ଦୁଇ ମାସ ତଳେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଆକାଉଣ୍ଟରେ ମାତ୍ର ୧୯ ହଜାର ୪୦୨ ଟଙ୍କା ଥିଲା ।
ଏଥିପାଇଁ ବ୍ୟାଙ୍କ ଚାହିଁଥିଲେ କୌଣସି କର୍ମଚାରୀଙ୍କୁ ତାଙ୍କ ଗାଁକୁ ପଠାଇ ମୃତ୍ୟୁର ସତ୍ୟାସତ୍ୟ ଯାଞ୍ଚ କରିପାରିଥାନ୍ତେ । କାଗଜ ଅପେକ୍ଷା ମଣିଷର ସାକ୍ଷ୍ୟକୁ ଗୁରୁତ୍ୱ ଦେଇଥିଲେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ଘଟଣା ଘଟିବା ପରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ଡେଥ୍ ସାର୍ଟିଫିକେଟ୍ ଓ ଟଙ୍କା ମିଳିଗଲା । ଏହି ତତ୍ପରତା ଯଦି ବ୍ୟାଙ୍କ ଓ ସ୍ଥାନୀୟ ପ୍ରଶାସନ ପୂର୍ବରୁ ଦେଖାଇଥାନ୍ତେ ତେବେ ଜିତୁ ମୁଣ୍ଡାଙ୍କୁ ତାଙ୍କ ଭଉଣୀର କଙ୍କାଳ ବ୍ୟାଙ୍କକୁ ବୋହି ଆଣିବାକୁ ପଡ଼ିନଥାନ୍ତା । ବ୍ୟାଙ୍କ ନିୟମ ମାନିବା ଜରୁରୀ । କିନ୍ତୁ ନିୟମ ମଣିଷ ପାଇଁ। ମଣିଷ ନିୟମ ପାଇଁ ନୁହେଁ । ଅସହାୟ ଗରିବ ଲୋକଙ୍କ ପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଟିକେ ଅଧିକ ସରଳ ହେବା ଆବଶ୍ୟକ । ସେପଟେ ଏହି ଘଟଣାରେ ଆଜି ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରିବେ । ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
