କାଳବୈଶାଖୀର ଶକ୍ତିଶାଳୀ ତାଣ୍ଡବ, ନେଲା ୫୦ରୁ ଅଧିକ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ତାଣ୍ଡବ ସୃଷ୍ଟି କରିଛି କାଳବୈଶାଖୀ । କେବଳ ଉତ୍ତରପ୍ରଦେଶରେ ନୁହେଁ ବରଂ ଦିଲ୍ଲୀରୁ ଆରମ୍ଭ କରି ଉତ୍ତରାଖଣ୍ଡ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁଥିରେ ୫୦ ଜଣରୁ ଉର୍ଦ୍ଧ୍ବ ଲୋକଙ୍କର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୁଧବାର ସନ୍ଧ୍ୟାରେ ଝଡ଼ ଯୋଗୁଁ ପ୍ରୟାଗରାଜ, ଫତେପୁର, ବଦାୟୁଁ ଏବଂ ଭାଦୋହୀ ଜିଲ୍ଲାରେ ବହୁ କ୍ଷୟକ୍ଷତି ଘଟାଇଛି । ଫଳରେ ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ ଉପୁଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ଘଟଣା ସମ୍ପର୍କରେ ସୂଚନା ପାଇ ପ୍ରଶାସନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ପୋଲିସ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ଅନେକ ଘରର କାନ୍ଥ ଭୁଶୁଡି ଏବଂ ଗଛ ଉପୁଡ଼ି ପ୍ରଗୟାଗରାଜ ଅଞ୍ଚଳରେ ୧୭ ଜଣ,  ଭଦୋହି ଜିଲ୍ଲାରେ ୧୬ ଜଣ, ଫତେହପୁରରେ ୯ ଜଣ,  ଉନ୍ନାଓରେ ୪ ଜଣ, କାନପୁର ଦେହାତରେ ୩ ଜଣ, ବଦୌନରେ ୫ ଜଣ, ଚନ୍ଦୌଲିରେ ୨ ଜଣ, ସୋନଭଦ୍ରରେ ଜଣଙ୍କ ସମେତ ମୋଟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । ଏଥିରେ ଗାଈଗୋରୁ, ପଶୁମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ ଉପୁଡିଯିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ଅନେକ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ବ୍ୟତୀତ ଲଗାତାର ଖରାପ ପାଗ, ପ୍ରବଳ ବର୍ଷା ଏବଂ ଶିଳାବୃଷ୍ଟି ଯୋଗୁଁ ପ୍ରଶାସନ ଅସ୍ଥାୟୀ ଭାବରେ ଆଦି କୈଳାସ ତୀର୍ଥଯାତ୍ରାକୁ ସ୍ଥଗିତ ରଖିଛି । ପରିସ୍ଥିତି ଉପରେ ନଜର ରଖିବା ସହିତ ଉଚ୍ଚ-ଉଚ୍ଚତା ରାସ୍ତାଗୁଡିକ ଉପରେ ହାଇ ଆଲର୍ଟ ଜାରି କରିଛି ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *