ଖାଟୁଶ୍ୟାମଜୀଙ୍କ ଦର୍ଶନ ସାରି ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ! ୯ ମୃତ

ଭକ୍ତିରେ ଖାଟୁଶ୍ୟାମଜୀଙ୍କ ଦର୍ଶନ ପାଇଁ ଯାଇଥିଲେ, ହେଲେ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ । ରାଜସ୍ଥାନର କୋଟାରେ ଘଟିଛି ଏକ ଛାତିଥରା ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ଗୋଟିଏ ପରିବାରର ସଦସ୍ୟମାନେ ଖାଟୁଶ୍ୟାମଜୀଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ଏଥିପାଇଁ ସେମାନେ ଏକ କ୍ରୁଜର ଗାଡ଼ିରେ ଯାତ୍ରା କରୁଥିଲେ । ତେବେ କୋଟା-ଉଦୟପୁର ଜାତୀୟ ରାଜପଥର ଶମ୍ଭୁପୁରା ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ଗାଡ଼ି । ଧକ୍କା ଏତେ ଜୋରଦାର ଥିଲା ଯେ, ଗାଡ଼ିରେ ଥିବା ୯ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୋଟା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ୬ ଜଣଙ୍କ ଚିକିତ୍ସା ଚାଲିଛି ।

ଏହି ଦୁର୍ଘଟଣା ସମ୍ପର୍କରେ ଜଣେ ସହଯାତ୍ରୀ କହିଛନ୍ତି ଯେ, ସେମାନେ ତିନୋଟି ଗାଡ଼ିରେ ଯାତ୍ରା କରୁଥିଲେ । ଜୟପୁର ଅତିକ୍ରମ କରିବା ପରେ ଖାଇବା ପାଇଁ ଅଟକିଥିଲେ । ଖାଇବା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଆଗୁଆ ବାହାରି ଯାଇଥିଲା । ଅନ୍ୟ ଗାଡ଼ିରେ ଥିବା ଲୋକଙ୍କୁ ପରେ ଦୁର୍ଘଟଣା ସମ୍ପର୍କରେ ଫୋନ୍ ଆସିଥିଲା । ସେମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆହତମାନଙ୍କୁ ହସ୍ପିଟାଲ ନିଆଯାଇସାରିଥିଲା ।ଅନ୍ୟପଟେ ପ୍ରଶାସନର କହିବା ଅନୁସାରେ, ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୧୬ ଜଣ ଯାତ୍ରା କରୁଥିଲେ । ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପ୍ରଶାସନର ପ୍ରଥମ ପ୍ରାଥମିକତା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ମୃତକଙ୍କ ମୃତଦେହର ପୋଷ୍ଟମର୍ଟମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।ଖାଟୁଶ୍ୟାମଜୀଙ୍କ ଦର୍ଶନ ପରେ ଖୁସିରେ ଘରକୁ ଫେରୁଥିବା ଗୋଟିଏ ପରିବାର ପାଇଁ ଏହି ଯାତ୍ରା ଶେଷ ଯାତ୍ରା ପାଲଟିଯାଇଛି । ଗୋଟିଏ ଦୁର୍ଘଟଣାରେ ଉଜୁଡ଼ିଯାଇଛି ପୂରା ପରିବାରର ହସଖୁସି ।

Spread the love

Leave a Reply

Your email address will not be published. Required fields are marked *