ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା

ନୂଆଦିଲ୍ଲୀ : ଘର କାମର ମିଳିଲା ବଡ଼ ସ୍ୱୀକୃତି ! । ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଲେ, ଗୃହିଣୀମାନେ ହେଉଛନ୍ତି ‘ରାଷ୍ଟ୍ର ନିର୍ମାତା’। ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏଣିକି ମାସିକ ୩୦ ହଜାର ଟଙ୍କା ହିସାବରେ ମିଳିବ ପ୍ରାପ୍ୟ । ମହିଳାମାନଙ୍କ ଅଦୃଶ୍ୟ ଘରକାମ ଏବଂ ପରିବାର ପ୍ରତି ତାଙ୍କର ଅବଦାନକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଏକ ଯୁଗାନ୍ତକାରୀ ଓ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସଡ଼କ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏକ ବଡ଼ ପରିବର୍ତ୍ତନ କରି ସୁପ୍ରିମକୋର୍ଟ ଗୃହିଣୀମାନଙ୍କୁ ‘ଦେଶ ଗଠନକାରୀ’ ବା ‘ରାଷ୍ଟ୍ର ନିର୍ମାତା’ର ଆଖ୍ୟା ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ସେମାନେ ମାଗଣାରେ କରୁଥିବା ଘରକାମର ମୂଲ୍ୟ ଅତିକମରେ ମାସିକ ୩୦ ହଜାର ଟଙ୍କା ହିସାବରେ ଆକଳନ କରାଯିବା ଉଚିତ । ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ. କୋଟିଶ୍ଵର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ‘ଗୃହିଣୀମାନେ କେବଳ ପରିବାର ନୁହେଁ, ବରଂ ଦେଶ ଗଠନ କରନ୍ତି । ସମାଜ ଓ ପରିବାରରେ ସେମାନଙ୍କର ଭୂମିକା ଅନନ୍ୟ, ତେଣୁ ସେମାନଙ୍କ ପରିଶ୍ରମକୁ କମ୍ କରି ଦେଖାଯାଇପାରିବ ନାହିଁ ।’ ମୋଟର ଦୁର୍ଘଟଣା ଦାବି ପ୍ରତିକାର ସଂସ୍ଥା ମାମଲାରେ ଏଣିକି ‘ଘରୋଇ ସେବା କିମ୍ବା ଯତ୍ନର ହାନି’କୁ ଏକ ସ୍ୱତନ୍ତ୍ର କ୍ଷତିପୂରଣ ଶ୍ରେଣୀ ଭାବେ ଗଣନା କରାଯିବ । ଏହି ମାମଲାଟି ୨୦୦୧ ମସିହାରେ ପଞ୍ଜାବରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ସହ ଜଡ଼ିତ । ଯେଉଁଥିରେ ‘ରେଶମା’ ନାମକ ଜଣେ ଗୃହିଣୀ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ପାଇଁ ତାଙ୍କ ପରିବାର ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ ୨୫ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ୁଥିଲେ । ଏହି ମାମଲାର ସମାଧାନ କରି କୋର୍ଟ ମହିଳାମାନଙ୍କ ବିନା ଦରମାର ପରିଶ୍ରମକୁ ଆର୍ଥିକ ମାନ୍ୟତା ଦେଇ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ଚେଷ୍ଟା କରିଛନ୍ତି ।

ଆସନ୍ତୁ ଜାଣିବା ଏହି ରାୟର ପ୍ରଭାବ ଓ ଗୁରୁତ୍ୱ ସମ୍ପର୍କରେ । ପରିସଂଖ୍ୟାନ ଅନୁଯାୟୀ, ଜଣେ ଭାରତୀୟ ମହିଳା ଦୈନିକ ହାରାହାରି ୫ରୁ ୬ ଘଣ୍ଟା କେବଳ ଘରକାମ ଓ ପରିବାରର ଯତ୍ନ ନେବାରେ ବିତାଇଥାନ୍ତି । ଏହି ନିଷ୍ପତ୍ତି ସେହି ଅଦୃଶ୍ୟ ଶ୍ରମକୁ ଅର୍ଥନୈତିକ ସ୍ୱୀକୃତି ଦେଇଛି । ପୂର୍ବରୁ ୨୦୨୧ ଏବଂ ୨୦୨୪ ମସିହାର କିଛି ମାମଲାରେ ସୁପ୍ରିମକୋର୍ଟ ଗୃହିଣୀଙ୍କ କାମକୁ ଚାକିରିଆଙ୍କ ସହ ସମାନ ବୋଲି କହିଥିଲେ, ଯାହା ଏବେ ଏହି ୩୦ ହଜାର ଟଙ୍କାର ବେସଲାଇନ ଦ୍ୱାରା ଅଧିକ ସ୍ପଷ୍ଟ ହୋଇଛି । ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପରିବାରକୁ ଯେପରି ବହୁ ବର୍ଷ ଧରି କୋର୍ଟ କଚେରୀ ଦୌଡ଼ିବାକୁ ନପଡ଼େ, ସେଥିପାଇଁ ଏହିପରି ମାମଲାର ଶୀଘ୍ର ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ପ୍ରଗତିଶୀଳ ପଦକ୍ଷେପକୁ ଦେଶର ମହିଳା ସଂଗଠନ ଓ ଆଇନ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି । ଏହା କେବଳ ଆଇନଗତ କ୍ଷତିପୂରଣର ଅର୍ଥ ବଢ଼ାଇନାହିଁ, ବରଂ ନାରୀ ଶକ୍ତିର ମର୍ଯ୍ୟାଦା ଓ ତାଙ୍କ ଶ୍ରମର ସମ୍ମାନକୁ ସାରା ଦେଶ ଆଗରେ ଆଉ ଥରେ ପ୍ରତିଷ୍ଠିତ କରିଛି ।

Spread the love

Leave a Reply

Your email address will not be published. Required fields are marked *