ଜନ୍ମ କଲା ପୁଅର ନାରକୀୟ କାଣ୍ଡ, ଅତି ନିର୍ମମ ଭାବେ ମାକୁ ବାଡେଇ କରିଲା ଲହୁ ଲୁହାଣ
ଉଦଳା : ଜନ୍ମ କଲା ପୁଅର ନାରକୀୟ କାଣ୍ଡ । ଜନ୍ମ କଲା ପୁଅ ସାଜିଲା ଅମଣିଷ । ଅତି ନିର୍ମମ ଭାବେ ମା କୁ ବାଡେଇ କରିଲା ଲହୁ ଲୁହାଣ । ନିଶା ଖାଇ ଆସିଲା ଆଉ କାଠ ଫାଳିଆରେ ଅନ୍ଧା ଦୁନିଆ ବାଡେଇ ଚାଲିଗଲା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ । ଗ୍ରାମର ପ୍ରମିଳା ବେହେରା ଘରେ ଏକୁଟିଆ ଥିବା ବେଳେ ହଠାତ ଗତକାଲି ରାତ୍ର ସମୟରେ ସାନ ପୁଅ ରଂଜିତ ବେହେରା ଆସି ଏକ କାଠ ଫାଳିଆରେ ତାଙ୍କୁ ନିର୍ଘାତ ବାଡେଇ ଚାଲିଲା ।
କାଠ ଫାଳିଆରେ ବାଡେଇବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା । ନିଜ ଜନ୍ମ କଲା ମା କୁ ଅତି ନିର୍ଦୟ ଭାବେ ରଂଜିତ ବାଡେଇଥିବା ବେଳେ ତାଙ୍କ ଦୁଇ ହାତ ଏବଂ ମୁଣ୍ଡ ସହିତ ଅଣ୍ଟା ରେ ମଧ୍ୟ ମାଡ଼ ମାରିଥିଲା । ମାଡ଼ ଫଳରେ ପ୍ରମିଳା ଗୁରୁତର ହୋଇପଡିଥିବା ବେଳେ ପାଟି କରିବାରୁ ପୁଅ ବୋହୂ ଆସି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରମିଳାଙ୍କ ଦେହରେ ଥିବା କ୍ଷତ ଚିହ୍ନ ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ପୁଅର ସେହି ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରମିଳା ଏବେ ଉଦଳା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।
