ଠିକାଦାରଙ୍କ ଗୁଣ୍ଡାଗିରି, ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ
ଉଦଳା: ଠିକାଦାରଙ୍କ ଗୁଣ୍ଡାଗିରି । ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଥିବା ଠିକାଦାରଙ୍କ ଗୁଣ୍ଡାଗିରି ଚରମସୀମାରେ । ଘରେ ପଶି ମହିଳାଙ୍କୁ ଅଶାଳୀନ ବ୍ୟବହାର ସହ ପୁଅର ମୁଣ୍ଡ ନେବାକୁ ଦେଲେ ଧମକ । ଜାମିନରେ ଥିବା ଠିକାଦାର ରଞ୍ଜନ ପାତ୍ର ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଉଦଳା ଏନଏସି ୫ ନମ୍ବର ୱାର୍ଡରେ ହୋଇଥିବା ସଂଘବଦ୍ଧ ଆକ୍ରମଣର ଭାଇରଲ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଠିକାଦାର ରଞ୍ଜନ ପାତ୍ର ନିଜର ଅନ୍ୟ ସହଯୋଗୀଙ୍କ ସହ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରୁଛନ୍ତି । ଭିଡିଓରେ ଠିକାଦାରଙ୍କ ଅସଲ ଗୁଣ୍ଡାଗିରିର ଚେହେରା । ଭିଡିଓ ଉତ୍ତୋଳନ କରିଥିବା
ଯୁବକଙ୍କ ଘରକୁ ୯ ତାରିଖ ରାତିରେ ଯାଇ ତାଙ୍କ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଭିଡିଓ ଉଠାଇଥିବା ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କଥା ସାମ୍ନାକୁ ଆସିଛି । ଧମକା ପରେ ଘଟଣା ବାବଦରେ ଯୁବକଙ୍କ ମାଆ ଉଦଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଏବେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ନ୍ୟାୟ ନ ମିଳିଲେ ସୁପ୍ରିମକୋର୍ଟ ଯିବେ ବୋଲି ସେ କହିଛନ୍ତି । ଘଟଣା ବାବଦରେ ଉଦଳା ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
