ନଦୀରେ ଡଙ୍ଗା ବୁଡ଼ି ଜଣେ ମୃତ
ଯାଜପୁର: ଦୁର୍ଗାପୂଜା ଭସାଣ ଦେଖି ଫେରିବା ହେଲା କାଳ । ନଦୀ ପାର ବେଳେ ବୁଡ଼ିଲା ଡ଼ଙ୍ଗା । ଜଣେ ମୃତ, ଅନ୍ୟଜଣେ ଉଦ୍ଧାର । ୨ନିଖୋଜ । ଯାଜପୁର ସଦର ଥାନା ଖରସ୍ରୋତା ତନ୍ତିଘାଇ ନଦୀର ଦଉରୀବନ୍ଧା ଘାଟରେ ବୁଡ଼ିଗଲା ଡଙ୍ଗା । ଦୁର୍ଗାପୂଜା ଭସାଣ ଦେଖିବାକୁ ମହମ୍ମଦ ଜମାଲପୁରର ଏକ ପରିବାର ଓ ସମ୍ପର୍କୀୟ ୪ ଜଣ ଡଅଁରକୂଳ ଗାଁକୁ ଗତକାଲି ଯାଇଥିଲେ ।
ଆଜି ସକାଳ ପ୍ରାୟ ୮ଟା ସମୟରେ ଡଙ୍ଗାରେ ଫେରିବା ବେଳେ ତନ୍ତୀଘାଇ ଶାଖା ନଦୀର ଦଉରୀବନ୍ଧା ଘାଟରେ ଘଟିଥିଲା ଅଘଟଣ । ହଠାତ୍ ଏକ ଗଣ୍ଡରେ ଭାରସାମ୍ୟ ବୁଡ଼ି ଯାଇଥିଲା ଡଙ୍ଗା । ଡଅଁରକୂଳ ଗାଁର ମଣିଆ ଦଳେଇ ନିଜ ସମ୍ପର୍କୀୟ ହେମଲତା ଦଳେଇ, ଭାମା ଦଳେଇ ଓ ଶୁଭଙ୍କର ଦଳେଇଙ୍କୁ ନଦୀ ପାର କରାଉଥିଲେ । ସ୍ଥାନୀୟ ଲୋକେ ହେମଲତା ଓ ଭାମାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲକୁ ନେଇଥିଲେ ।
ଡଙ୍ଗାରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ମହିଳା ଉଦ୍ଧାର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ନିଖୋଜ ୨ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିପାରିନାହିଁ । ଡଙ୍ଗା ବୁଡ଼ିବାର କାରଣ ଏବଂ ନିଖୋଜ ଦୁଇଜଣଙ୍କ ସନ୍ଧାନ ନେଇ ତଦନ୍ତ ଜାରି ରହିଛି ।
