ପଞ୍ଜାବର ଅମୃତସରରେ ଚାଞ୍ଚଲ୍ୟ, ଲୋକପ୍ରିୟ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କୁ ହତ୍ୟା
ପଞ୍ଜାବ: ପଞ୍ଜାବର ଅମୃତସରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଲୋକପ୍ରିୟ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ତଥା ମେକଅପ୍ ଆର୍ଟିଷ୍ଟ ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା । ଗତକାଲି ସନ୍ଧ୍ୟାରେ ଅମୃତସରର ଲୋହାରକା ରୋଡରେ ଘଟିଛି ଏହି ଘଟଣା । ମ୍ୟାଡ୍ ସାନ୍ଧୁଙ୍କ ପ୍ରକୃତ ନାଁ ମଧୁସୂଦନ ସାନ୍ଧୁ । ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଦୁଇଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲ୍ ରେ ଆସିଥିଲେ । ଲୋହାରକା ରୋଡ୍ ରେ ସେମାନେ ମ୍ୟାଡ୍ ସାନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଦୁଇ ଆକ୍ରମଣକାରୀ ବାଇକ୍ ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁଳି ବାଜିବା ପରେ ମ୍ୟାଡ୍ ସାନ୍ଧୁ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଯାଇଥିଲେ । ଘଟଣା ପରର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଭିଡିଓରେ ଆହତ ସାନ୍ଧୁଙ୍କୁ ସହାୟତା ପାଇଁ ଲୋକମାନେ ଆଗକୁ ଆସୁଥିବା ଦେଖାଯାଉଛି । ଗୁରୁତର ଆହତ ସାନ୍ଧୁଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ସାନ୍ଧୁଙ୍କ ଜୀବନ ବଞ୍ଚା ଯାଇପାରିନଥିଲା । ହସ୍ପିଟାଲରେ ସେ ପ୍ରାଣ ହରାଇଥିବା ପୋଲିସ କହିଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ମ୍ୟାଡ୍ ସାନ୍ଧୁଙ୍କୁ କିଏ ହତ୍ୟା କଲା ଏବଂ ଏହା ପଛର କାରଣ କ’ଣ ? ଘଟଣା ପରେ ଅମୃତସର ପୋଲିସର ଏକାଧିକ ଟିମ୍ ତଦନ୍ତରେ ଲାଗିଛନ୍ତି । ଆକ୍ରମଣକାରୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଲୋହାରକା ରୋଡ୍ ଓ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ଅତିରିକ୍ତ DCP ସିରିଭେନ୍ନେଲାଙ୍କ ସୂଚନା ଅନୁସାରେ ପୋଲିସ ହାତରେ କିଛି ସୁରାକ୍ ଲାଗିଛି ଏବଂ ସେଗୁଡ଼ିକ ଉପରେ ତଦନ୍ତ ଚାଲି ଛି। ତେବେ ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚିନାହିଁ ।
ମ୍ୟାଡ୍ ସାନ୍ଧୁଙ୍କୁ ନେଇ ପୂର୍ବରୁ ଏକ ବିବାଦ ମଧ୍ୟ ସାମ୍ନାକୁ ଆସିଥିଲା । ଗତ ଜୁଲାଇରେ ଜଣେ ନିହଙ୍ଗ ଶିଖ ତାଙ୍କ ସୋସିଆଲ୍ ମିଡିଆ ଭିଡିଓକୁ ନେଇ ଆପତ୍ତି ଉଠାଇବା ସହ ତାଙ୍କୁ ଏଭଳି କଣ୍ଟେଣ୍ଟ ପୋଷ୍ଟ ନକରିବାକୁ ଚେତାବନୀ ଦେଇଥିବା ରିପୋର୍ଟ ରହିଛି। ତେବେ ସେହି ପୁରୁଣା ବିବାଦ ସହ ଆଜିର ହତ୍ୟାକାଣ୍ଡର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ପୋଲିସ ଏଯାଏଁ କିଛି କହିନି । ମଧୁସୂଦନ ସାନ୍ଧୁ ସୋସିଆଲ୍ ମିଡିଆରେ ମ୍ୟାଡ୍ ସାନ୍ଧୁ ନାଁରେ ପରିଚିତ ଥିଲେ। ମେକଅପ୍ ଆର୍ଟିଷ୍ଟ ଭାବେ ପରିଚିତ ସାନ୍ଧୁ ମେକଅପ୍, ଫ୍ୟାଶନ୍, ମନୋରଞ୍ଜନ ଓ ସାମାଜିକ ପ୍ରସଙ୍ଗକୁ ନେଇ ଭିଡିଓ ପୋଷ୍ଟ କରୁଥିଲେ । Instagramରେ ତାଙ୍କର ୨ ଲକ୍ଷରୁ ଅଧିକ followers ଥିବା ରିପୋର୍ଟ ରହିଛି ।
ବିଭିନ୍ନ ପଡ୍ କାଷ୍ଟରେ ମଧ୍ୟ ସେ ମେକଅପ୍, ସିନେମା ଓ gender issues ସମ୍ପର୍କରେ ନିଜ ମତ ରଖୁଥିଲେ । ଏବେ ପୋଲିସ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେଉଛି ବାଇକ୍ ରେ ଆସିଥିବା ଦୁଇ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା । CCTV ଫୁଟେଜ୍ ଏବଂ ଅନ୍ୟ ସୁରାକ୍ ଆଧାରରେ ସେମାନଙ୍କୁ ଖୋଜାଯାଉଛି। ହତ୍ୟା ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ପୁରୁଣା ବିବାଦ ନା ଅନ୍ୟ କିଛି ରହିଛି, ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ।
