ପୁରୀ–କୋଣାର୍କ ମେରାଇନ ଡ୍ରାଇଭରେ ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଅସାମାଜିକଙ୍କ ଆତଙ୍କରାଜ୍ । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମ୍ନାକୁ ଆସିଲା ଛାତିଥରା ଭିଡିଓ । ଯୁବକଙ୍କୁ ତଳେ ପକାଇ ଲୁହା ରଡ଼, ଠେଙ୍ଗା ସାହାଯ୍ୟରେ ପିଟୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ସୂଚନା ମୁତାବକ କୋଣାର୍କ ଥାନା ଧନିତ୍ରୀ ଗାଁର ଦୁଇ ଭାଇ ବରପଦାସ୍ଥିତ ପିଉସୀ ଘରକୁ ଯାଇଥିଲେ । ବାହାଘର ବରଯାତ୍ରୀରୁ ଫେରିବା ସମୟରେ କୋଣାର୍କ ଇକୋ ରିଟ୍ରିଟ୍ ପାଖରେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ ।ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ କୋଣାର୍କ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ସେପଟେ ଆହତ କମଳ ଲୋଚନ ବେଉରା ଏବେ କିମ୍ସ ରେ ଚିକିତ୍ସାଧିନ ଥିବାବେଳେ, ତାଙ୍କ ବଡ଼ ଭାଇ ରଶ୍ମିରଞ୍ଜନ ବେହୁରାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖାଦେଇଛି । ପ୍ରତ୍ୟକ୍ଷଦର୍ଶୀ କହିବା କଥା ପୁଲିସ ପାଟ୍ରୋଲିଂ ନଥିବାରୁ ଏପରି ଘଟଣା ଘଟୁଛି ।
