ପୋଲିସ୍ SI ସ୍କାମ୍, ୧୭ ଜଣଙ୍କ ଜାମିନ ଖାରଜ
କଟକ: ପୋଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ଓ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ଚର୍ଚ୍ଚିତ ମାମଲାରେ ଓଡ଼ିଶା ହାଇକୋର୍ଟ ୧୭ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ । ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।
ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ସିବିଆଇ ସମ୍ପ୍ରତି ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ତେଣୁ ଅଭିଯୁକ୍ତମାନଙ୍କୁ ଜାମିନ ଦେବା ପାଇଁ ଏହି ପର୍ଯ୍ୟାୟରେ କୌଣସି ଯୁକ୍ତିସଙ୍ଗତ କାରଣ ନଥିବା ହାଇକୋର୍ଟ କହିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନରେ ଥିବା ଅଭିଯୁକ୍ତ ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇନାହିଁ । ଅସ୍ତ୍ରୋପଚାର ପରେ ଦୁଇ ସପ୍ତାହ ବିଶ୍ରାମ ନେଇ ୨୧ ଦିନ ମଧ୍ୟରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ପକ୍ଷରୁ ଏହି ମାମଲା ଆଇନଜୀବୀ ସାର୍ଥକ ନାୟକ ପରିଚାଳନା କରୁଛନ୍ତି ।
