ଫାଇନ୍ ଆଦାୟ ପାଇଁ ଫାଶ; ଅମାନିଆଙ୍କ ପକେଟ୍ରୁ ଯିବ ମାସିକ ୩୦ କୋଟି
ପରିବହନ ବିଭାଗର ଅଜବ ନୀତି । ରାଜସ୍ୱ କମୁଛି, ଜରିମାନା ଆଦାୟକୁ ଜୋରଦାର କର । ବାଟରେ ଘାଟରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଖୋଜି ଖୋଜି ଚାଲାଣ କାଟ । ଦୁର୍ଘଟଣା ବୃଦ୍ଧିକୁ ଆଳ ଦେଖାଇ ମାସିକ ୩୦ କୋଟି ଟଙ୍କା ଗାଡି ଚାଳକଙ୍କ ଠାରୁ ଆଦାୟ କରିବାକୁ ଫନ୍ଦି କରିଛି ପରିବହନ ବିଭାଗ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ମିଳିଛି ମାସିକିଆ ଟାର୍ଗେଟ ।ଆଉ ନିସ୍ତାର ନାହିଁ । ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଖୋଜି ଖୋଜି ଚାଲାଣ କାଟିବ ପରିବହନ ବିଭାଗ । ଅମାନିଆଙ୍କୁ ସାବାଡ କରିବାକୁ ନୁହେଁ ବରଂ ପରିବହନ ବିଭାଗକୁ ଘାରିଛି ରାଜସ୍ୱ ବୃଦ୍ଧି ଚିନ୍ତା । ଏହିକ୍ରମରେ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ମିଳିଛି ନୂଆ ଟାସ୍କ । ଯିଏ, ଯେମିତି, ଯେଉଁଭଳି ଭାବେ, ଯେକୌଣସି ପରିସ୍ଥିତିରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛି, ତା’ ଠାରୁ ଜରିମାନା ଆଦାୟ କର । ଛୋଟମୋଟ ଜରିମାନା ନୁହେଁ ମାସିକ ୩୦ କୋଟି ଆଦାୟ କରିବାକୁ ମିଳିଛି ଟାର୍ଗେଟ୍ । ଯେଉଁ ଅଞ୍ଚଳରେ ଯେତେ ଅଧିକ ଗାଡି, ସେ ଅଞ୍ଚଳରେ ସେତେ ଅଧିକ ଜରିମାନା ଆଦାୟର ବୋଝ ଲଦିଛି ପରିବହନ ବିଭାଗ । ଏଥିପାଇଁ ପ୍ରତି ମାସର ୫ ତାରିଖର କଣ୍ଟ ରହିଛି । ଏହି ଅବଧିରେ ଟାର୍ଗେଟ୍ ପୂରା ନହେଲେ ଅଧିକାରୀଙ୍କ ଉପରେ ହେବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ।
ଜରିମାନା ଆଦାୟକୁ ଜୋରଦାର କରିବାକୁ ଏବେ ଛକଛକରେ ଲୁଚି ରହୁଛନ୍ତି ଟ୍ରାଫିକ ପୁଲିସ । ଜରିମାନା ଆଦାୟରେ ଟ୍ରାଫିକ ଅଧିକାରୀ ବ୍ୟସ୍ତ ରହୁଥିବା ବେଳେ ହୁଗୁଳା ହୋଇଗଲାଣି ଟ୍ରାଫିକ୍ ବ୍ୟବସ୍ଥା । ବରମୁଣ୍ଡା ଓଭରବ୍ରିଜ୍ରେ ମର୍ମନ୍ତୁଦ ଦୁର୍ଘଟଣା ଏହାର ସବୁଠୁ ବଡ ଉଦାହରଣ । କେବଳ ଏତିକି ନୁହେଁ ସକାଳୁ ସନ୍ଧ୍ୟା ଜାମରେ ଫଶୁଛି ପୁରା ରାଜଧାନୀ । ହେଲେ ଏଥିପ୍ରତି ଟ୍ରାଫିକ ପୁଲିସର ନିଘା ନାହିଁ । ପ୍ରଶ୍ନ ଉଠୁଛି, ଜରିମାନା ଆଦାୟରେ ପରିବହନ ବିଭାଗ ଯେମିତି ତତ୍ପରତା ଦେଖାଉଛି, ସଡ଼କ ସୁରକ୍ଷା କ୍ଷେତ୍ରରେ କାହିଁକି ସେମିତି ନୁହେଁ ? ଅନ୍ୟପଟେ ପରିବହନ ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି ।
ପୂର୍ବରୁ ପିୟୁସିସି ନାଁରେ ଫାଇନ୍ ଆଦାୟକୁ ନେଇ ସରକାର ସମାଲୋଚନାର ଶିକାର ହୋଇଥିଲେ । ଏବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦାୟ ଟାର୍ଗେଟ୍ ନିଷ୍ପତ୍ତି ସରକାରଙ୍କୁ ବୁମେରାଂ ହେବନି ତ ?
