ମନରେଗା ଯୋଜନାରେ ଟଙ୍କା ହେରଫେର ଅଭିଯୋଗରେ ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ
କନ୍ଧମାଳ : ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ । ମନରେଗା ଯୋଜନାରେ ୪୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ । ୨୦୨୩-୨୪ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଧରାକୋଟ ପଞ୍ଚାୟତର ଅମୃତ ସରୋବର ପ୍ରକଳ୍ପ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିଲା ।
ସରକାରୀ ରେକର୍ଡରେ ପ୍ରକଳ୍ପ ପାଇଁ ୪୯ ଲକ୍ଷ ୮୩ ହଜାର ୯୯୫ ଟଙ୍କା ଖର୍ଚ୍ଚ ଦର୍ଶାଯାଇଥିବା ବେଳେ ବୈଷୟିକ ଯାଞ୍ଚରେ ପ୍ରକୃତ କାମର ମୂଲ୍ୟ ମାତ୍ର ୭ ଲକ୍ଷ ୪୨ ହଜାର ୩୫୭ ଟଙ୍କା ବୋଲି ଜଣାପଡ଼ିଛି । ବାକି ୪୨ ଲକ୍ଷରୁ ଅଧିକ ଟଙ୍କା କୌଣସି କାମ ନକରି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ମନରେଗା ନିୟମ ଅନୁସାରେ ବିଲ୍ ପାସ୍ ପୂର୍ବରୁ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟର ଜିଓ-ଟ୍ୟାଗ୍ ଫଟୋ ଅପଲୋଡ୍ କରିବା ବାଧ୍ୟତାମୂଳକ । କିନ୍ତୁ ଏହି ପ୍ରକଳ୍ପରେ କୌଣସି ଜିଓ-ଟ୍ୟାଗ୍ ଫଟୋ ଅପଲୋଡ୍ କରାଯାଇ ନଥିଲା । ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ-୨୦୧୮ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଘଟଣାରେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି ।
