ମହାରାଷ୍ଟ୍ରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଗୁରୁତର
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଭୟଙ୍କର ବସ୍ ଦୁର୍ଘଟଣା । ପୋଲର ରେଲିଂ ଭାଙ୍ଗି ତଳକୁ ଖସିଲା ଦ୍ରୁତଗାମୀ ଘରୋଇ ବସ୍ । ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଘଟିଛି ଏହି ଦୁର୍ଘଟଣା । ଘଟଣା ପରେ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ମହାରାଷ୍ଟ୍ରରେ ଥମୁନି ବସ୍ ଦୁର୍ଘଟଣା । ଗୋଟିଏ ପରେ ଗୋଟିଏ ଅଘଟଣ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠାଇଛି ବଡ଼ ପ୍ରଶ୍ନ । ଛତ୍ରପତି ସମ୍ଭାଜୀନଗରରେ ଏକ ଘରୋଇ ବସ୍ ଦ୍ରୁତଗତିରେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ପୋଲର ରେଲିଂ ଭାଙ୍ଗି ତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ବସ୍ ଭିତରୁ ଯାତ୍ରୀଙ୍କୁ ବାହାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିଲା ।
ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣା ନୂଆ ନୁହେଁ । ଗତ ଅକ୍ଟୋବର ମାସରେ ବିଡ୍ ଜିଲ୍ଲାର ମାଜଲଗାଓଁ ତାଲୁକାରେ ଏକ ଏସ୍ଟି ବସ୍ ଓ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ଖାମଗାଓଁ-ପଣ୍ଢରପୁର ଜାତୀୟ ରାଜପଥର ଶିନ୍ଦେୱାଡ଼ି ଫାଟା ନିକଟରେ ସକାଳ ପ୍ରାୟ ୧୧ଟାରେ ଏହି ଦୁର୍ଘଟଣା ଘଟିଥିଲା । କାର୍ରେ ଥିବା ଶ୍ରଦ୍ଧାଳୁମାନେ ତୁଳଜାପୁର ଦର୍ଶନ ପାଇଁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ନଭି ମୁମ୍ବାଇର ଠାଣେ-ବେଲାପୁର ରାସ୍ତାର ବେଲାପୁର ଖିଣ୍ଡ ନିକଟରେ ଏକ ଏସଟି ବସର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ବସ୍ଟି ନିୟନ୍ତ୍ରଣ ହରାଇ ୩ଟି ଅଟୋରିକ୍ସା ଓ ୩ଟି କାର୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ । ତେବେ ବାରମ୍ବାର ବସ୍ ଦୁର୍ଘଟଣା ଘଟିବା ପଛରେ ରହିଛି କ’ଣ କାରଣ? ଦ୍ରୁତଗତିରେ ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଡ୍ରାଇଭରଙ୍କ ଅସାବଧାନତା ଏବଂ ଉପଯୁକ୍ତ ବିଶ୍ରାମର ଅଭାବ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ । ଯାତ୍ରୀଙ୍କ ସୁରକ୍ଷା ପାଇଁ ବସ୍ର ନିୟମିତ ଯାଞ୍ଚ, ଡ୍ରାଇଭରଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ ଏବଂ ଉପଯୁକ୍ତ ବିଶ୍ରାମ ବ୍ୟବସ୍ଥା ଜରୁରୀ। ନଚେତ୍ ରାସ୍ତାରେ ଏଭଳି ଅଘଟଣ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ।
