ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ ,ଓଡ଼ିଶାରେ ରେକର୍ଡ ଛୁଇଁଲା ବିଜୁଳି ଚାହିଦା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାସହ ଯୋଡ଼ି ହୋଇଯାଇଛି ବିଜୁଳି ସମସ୍ୟା । ତାତି ବଢିବା ସହ ବିଦ୍ୟୁତ କାଟ ଯୋଗୁ ଛଟପଟ ହେଉଛନ୍ତି ଜନସାଧାରଣ ! । ରାଜ୍ୟରେ ଏବେ ବିଦ୍ୟୁତ୍ ଚାହିଦା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି । ଏହି କାରଣରୁ ବିଭିନ୍ନ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟେଜ୍ ଭଳି ସମସ୍ୟା ଉପୁଜିଛି । ଯାହା ଲୋକଙ୍କ ନାକେଦମ କଲାଣି। ଗରମରୁ ରକ୍ଷା ପାଇବା ପାଇଁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଏସି, କୁଲର ଏବଂ ପାଣି ମୋଟରର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି । ଯାହାର ସିଧାସଳଖ ପ୍ରଭାବ ପାୱାର ଗ୍ରୀଡ୍ ଉପରେ ପଡ଼ୁଛି। ରାଜ୍ୟରେ ବର୍ତ୍ତମାନ ଦେଖାଦେଇଥିବା ବିଜୁଳି ସମସ୍ୟା ପଛରେ ୫ଟି ମୁଖ୍ୟ କାରଣ ରହିଛି । ଅତ୍ୟଧିକ ଗରମ ଯୋଗୁଁ ବିଦ୍ୟୁତ ବ୍ୟବହାର ଅହେତୁକ ଭାବେ ବଢ଼ିଯାଇଛି ।

ବିଶେଷ କରି ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ଚାହିଦା ଅଧିକ ରହୁଛି । ଚଳିତ ଗ୍ରୀଷ୍ମ ଋତୁରେ ଓଡ଼ିଶାର ସର୍ବୋଚ୍ଚ ବିଜୁଳି ଚାହିଦା ୭,୪୦୦ ମେଗାୱାଟ୍ ଅତିକ୍ରମ କରିଛି, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅନେକ ଗୁଣା ଅଧିକ । ତାପମାତ୍ରା ବୃଦ୍ଧି ଯୋଗୁଁ ଘରଠାରୁ ଅଫିସ ପର୍ଯ୍ୟନ୍ତ ସବୁଠି ଲଗାତାର ଏସି, କୁଲର, ରେଫ୍ରିଜେରେଟର ଏବଂ ପାଣି ପମ୍ପ ଚାଲୁଛି । ଅତ୍ୟଧିକ ବ୍ୟବହାର ଯୋଗୁଁ ପୁରା ପାୱାର ସପ୍ଲାଇ ଗ୍ରୀଡ୍ ଉପରେ ପ୍ରବଳ ଚାପ ପଡ଼ୁଛି । ସୂର୍ଯ୍ୟାସ୍ତ ପରେ ସୋଲାର ପାୱାର ଉତ୍ପାଦନ ବନ୍ଦ ହୋଇଯାଏ, କିନ୍ତୁ ଗରମ ଯୋଗୁଁ ରାତିରେ ବି ବିଜୁଳିର ଚାହିଦା କମେ ନାହିଁ । ଏହି କାରଣରୁ ସନ୍ଧ୍ୟା ଏବଂ ରାତି ସମୟରେ ବିଦ୍ୟୁତର ଅଭାବ ଦେଖାଦେଉଛି । ପ୍ରଚଣ୍ଡ ତାତି ଯୋଗୁଁ ବିଦ୍ୟୁତ ଟ୍ରାନ୍ସଫର୍ମର, ଫିଡର୍ ଏବଂ ଥର୍ମାଲ ପାୱାର ୟୁନିଟ୍ ଗୁଡ଼ିକ ଅତ୍ୟଧିକ ଗରମ ହୋଇଯାଉଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଧ୍ୟବାଧକତାରେ ପାୱାର ସପ୍ଲାଏ ବନ୍ଦ କରିବାକୁ ପଡ଼ୁଛି । ଅନେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବେ ବି ଦୁର୍ବଳ ବିଦ୍ୟୁତ ଭିତ୍ତିଭୂମି ରହିଛି। ହଠାତ୍ ବିଜୁଳି ବ୍ୟବହାର ବଢ଼ିଯିବା ବେଳେ କମ୍ କ୍ଷମତା ସମ୍ପନ୍ନ ଫିଡର୍ ଏବଂ ପୁରୁଣା ତାର ଏହି ଲୋଡ୍ ସମ୍ଭାଳି ପାରୁନି । ଫଳରେ ଲୋ-ଭୋଲ୍ଟେଜ୍ ସମସ୍ୟା ଅଧିକ ଜଟିଳ ହେଉଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଲୋକେ ଘରେ ଏସିଠାରୁ ଆରମ୍ଭ କରି ବିଭିନ୍ନ ବୈଦ୍ୟୁତିକ ଉପକରଣର ବହୁଳ ବ୍ୟବହାର କରୁଛନ୍ତି । ଏହି କାରଣରୁ ବିଦ୍ୟୁତ କାଟ ହେଉଛି । ଏନେଇ ପଦକ୍ଷେପ ନିଆଯାଇଛି । ଶୀଘ୍ର ବିଦ୍ୟୁତ ବିତରଣ ସଂସ୍ଥା ସହିତ ଆଲୋଚନା କରାଯାଇ ବିଦ୍ୟୁତ କାଟକୁ ରୋକାଯିବ।

Spread the love

Leave a Reply

Your email address will not be published. Required fields are marked *