ସାମାନ୍ୟ ବଚସାରୁ ମହାଭାରତ, ଅଧ୍ୟାପକଙ୍କ ଉପରେ ପଡ଼ିଲା ଲାଟିନ୍ ପାଣି
ଯାଜପୁର ରୋଡ୍: ଅଧ୍ୟାପକଙ୍କ ଉପରେ ଲାଟିନ୍ ପାଣି । ସାମାନ୍ୟ ବଚାସାକୁ ନେଇ ଲାଟିନ୍ ପାଣି ଫିଙ୍ଗାଫିଙ୍ଗି । ସିନିୟର୍ ଅଧ୍ୟାପକଙ୍କ ଉପରକୁ ଲାଟିନ୍ ପାଣି ଢାଳିଲେ ଅଧ୍ୟାପିକା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରଗଡି ସରକାରୀ ପଲିଟେକନିକ କଲେଜରେ । ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରା ଓ ସେହି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସମ୍ବିତ୍ ମହାପାତ୍ରଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପରସ୍ପର ମଧ୍ୟରେ ମାଡପିଟ ସହ ପରସ୍ପରକୁ ଖରାପ ଭାଷାରେ ଅଶାଳୀନ ମନ୍ତବ୍ୟ ଦେଇ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।
କିନ୍ତୁ ସେହି କଲେଜର କାର୍ଯ୍ୟରତ ଅଧ୍ୟାପକ ସମ୍ବିତ ମହାପାତ୍ରଙ୍କ ପତ୍ନୀ ପି. ଆରାଧନା କଲେଜ ଛାତ୍ରଙ୍କୁ ଏକତ୍ରୀତ କରି ଛାତ୍ରାବାସ ପାଇଖାନାରୁ ମଇଳା ପାଣି ଆଣି କଲେଜ ପରିସରରେ ନୃସିଂହ ବେହେରାଙ୍କ ଉପରକୁ ଢାଳିଥିଲେ । ଯାହାକୁ ନେଇ କଲେଜ ପରିସରରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଘଟଣାକୁ ନେଇ ଉଭୟେ କୋରେଇ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘଟଣାକୁ ନିନ୍ଦା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ରିପୋର୍ଟ୍ ପ୍ରଦାନ କରାଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ଅଭୟ ମଲ୍ଲିକ ।
