ସ୍ନାନ ବେଦିରେ ଶ୍ରୀଜିଉଦେବେ ଦର୍ଶନ : ଜାଣନ୍ତୁ ସ୍ନାନ ଦର୍ଶନ ପରମ ପୁଣ୍ୟ

ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦିରେ ଶ୍ରୀଜଗନ୍ନାଥାଦି ଦେବତାଙ୍କର ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ। ଏହି ସ୍ନାନର ଦର୍ଶନ କିପରି ପୁଣ୍ୟପ୍ରଦ, ତାହାର ବର୍ଣ୍ଣନା ଅଛି ‘ସ୍କନ୍ଦପୁରାଣ  ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ରେ। ଏହା ଶ୍ରୀଜଗନ୍ନାଥଙ୍କର ଏକ ସ୍ବୟଂଲୀଳା। କାରଣ, ଏହି ଦିନ ସ୍ନାନମଞ୍ଚରେ ପ୍ରତ୍ୟକ୍ଷ ସ୍ନାନ ନିମନ୍ତେ ଶ୍ରୀଜୀଉମାନେ ସ୍ବୟଂ ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ି ବାହାରକୁ ବାହାରି ଆସିଥାଆନ୍ତି। ଅନ୍ୟାନ୍ୟ ବହୁ ଯାତ୍ରା ପରି ଏହି ଯାତ୍ରା ବିଜେପ୍ରତିମା ବା ପ୍ରତିନିଧି ପ୍ରତିମାମାନଙ୍କ ମାଧ୍ୟମରେ ସଂପନ୍ନ ହୋଇ ନ ଥାଏ।
ଶ୍ରୀଜିଉମାନଙ୍କର ଏହି ସ୍ନାନଦର୍ଶନ କିପରି କଲ୍ୟାଣକର ଓ ପରମ ପୁଣ୍ୟପ୍ରଦ, ସେ ସଂପର୍କରେ ‘ସ୍କନ୍ଦପୁରାଣ’ର ୩୧ ଅଧ୍ୟାୟରେ ବିଶଦ ଭାବରେ ଉଲ୍ଲେଖ ଅଛି। ସେଥିରେ କୁହାଯାଇଛି–ଯେଉଁ ମନୁଷ୍ୟମାନେ ସେହି ‌ଦେବସ୍ନାନ ସ୍ଥଳରେ ଉପସ୍ଥିତ ରହି ସ୍ନାନକାଳରେ ଭଗବାନଙ୍କୁ ନିରୀକ୍ଷଣ କରନ୍ତି, ସେମାନଙ୍କୁ ପୁନରାୟ ଜନନୀ ଗର୍ଭର ଜଳରେ ସ୍ନାନ କରିବାକୁ ପଡ଼େ ନାହିଁ; ଅର୍ଥାତ୍ ସେମାନଙ୍କର ଆଉ ପୁନର୍ଜନ୍ମ ହୋଇ ନ ଥାଏ। ସେହିପରି, ସ୍ନାନଯାତ୍ରା କାଳରେ ପରମ ଆନନ୍ଦ ଓ ଔତ୍ସୁକ୍ୟପୂର୍ଣ୍ଣ ହୃଦୟରେ ଯେଉଁମାନେ ଜ୍ୟେଷ୍ଠସ୍ନାନ ଦର୍ଶନ କରନ୍ତି, ସେମାନେ କେବେ‌ହେଲେ ଭବସାଗରର ଜଳରେ ନିମଗ୍ନ ହୁଅନ୍ତି ନାହିଁ। ଶ୍ରୀହରିଙ୍କର ଏହି ଜ୍ୟେଷ୍ଠ ଜନ୍ମଦିନରେ ତାଙ୍କର ସ୍ନାନଦର୍ଶନ ଅପେକ୍ଷା ମୋକ୍ଷପ୍ରଦ ଶ୍ରେଷ୍ଠକର୍ମ ଅନ୍ୟ କିଛି ନାହିଁ। ସ୍ନାନ, ଦାନ, ତପସ୍ୟା, ଶ୍ରାଦ୍ଧ, ଜପ ଓ ଯଜ୍ଞ ଆଦି ଯାହାକିଛି ବିହିତ କର୍ମ ଅଛି ଏବଂ ତାହା ଯଦି କେ‌ାଟିକୋଟି ଜନ୍ମରେ କୋଟି କୋଟି ଗୁଣରେ ଅନୁଷ୍ଠିତ ହୋଇଥାଏ, ତଥାପି ବି ତାହା ଶ୍ରୀହରିଙ୍କ ସ୍ନାନ ଦର୍ଶନ ତୁଲ୍ୟ ମହାପୁଣ୍ୟପ୍ରଦ ହୋଇପାରେ ନାହିଁ।

ଏହି ପ୍ରସଙ୍ଗରେ, ସେଥିରେ ଆହୁରି ମଧ୍ୟ କୁହାଯାଇଛି–ଯେଉଁ ବ୍ୟକ୍ତି ଭକ୍ତି ସହକା‌େ‌ର ଅନ୍ୟୂନ ଗୋଟିଏ ବର୍ଷ (ଅର୍ଥାତ୍‌, ଥରେ ମାତ୍ର)ଭଗବାନ ବିଷ୍ଣୁ(ଶ୍ରୀଜଗନ୍ନାଥ)ଙ୍କର ସ୍ନାନଯାତ୍ରା ଦର୍ଶନ କରେ, ତାକୁ ସଂସାରର ଦୁଃଖମୋଚନ ନିମିତ୍ତ ଶୋକ କରିବାକୁ ପଡ଼େ ନାହିଁ। ଯେଉଁ ବ୍ୟକ୍ତି ଭଗବାନ ଶ୍ରୀପୁରୁଷୋତ୍ତମଙ୍କର ଏହି ମଞ୍ଚସ୍ନାନ ଦର୍ଶନ କରେ, ସେ ତୀର୍ଥାଦି ସ୍ନାନ ଅପେକ୍ଷା ଶତଗୁଣ ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ; ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ।
Spread the love

Leave a Reply

Your email address will not be published. Required fields are marked *