୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ

ସାତ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ଭାରତ ଇରାନରୁ ଅଶୋଧିତ ତୈଳ ପାଇବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ୍‌ ଭାରତ ଆସିବାକୁ ସଙ୍କେତ ଦିଆଯାଇଥିଲା । ବିଶ୍ୱରେ ଥିବା ସଙ୍କଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାସିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବରେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତ ବର୍ଷର ଅନ୍ତ ଘଟିଛି । ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍ ଏବଂ କେପ୍‌ଲର୍‌ ତଥ୍ୟ ଦର୍ଶାଉଛି ଯେ, କୁରାଓ-ପତାକାଯୁକ୍ତ ବହୁତ ବଡ଼ ଅଶୋଧିତ ବାହକ ଜାହାଜ ଜୟାକୁ ଭାରତର ପୂର୍ବ ଉପକୂଳରେ ଇରାନୀ ଅଶୋଧିତ ତୈଳ ପହଞ୍ଚାଇବ । ଜାହାଜଟି ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆ, ବିଶେଷତଃ ଚୀନ ଅଭିମୁଖେ ଯାଉଥିଲା, କିନ୍ତୁ ପରେ ଭାରତ ଅଭିମୁଖେ ଏହାର ଦିଗ ପରିବର୍ତ୍ତନ କରିଥିଲା। ଏହି କାର୍ଗୋ ଜାହାଜଟି ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା କିଣାଯାଇଥିଲେ ମଧ୍ୟ ଆଇଓସିଏଲ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ସେହିପରି ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ ଆଉ ଏକ ଜାହାଜ ଜୋର୍ଡାନ ମଧ୍ୟ ଭାରତ ଉପକୂଳରେ ତୈଳ ନେଇ ପହଞ୍ଚିବ। ଭାରତ ଶେଷ ଥର ପାଇଁ ମେ ୨୦୧୯ରେ ଇରାନୀ ତେଲ ଆମଦାନୀ କରିଥିଲା। ତେହେରାନ ଶସ୍ତାରେ ତେଲ ଦେଉଥିଲେ ମଧ୍ୟ ଆମେରିକାର କଟକଣା ଯୋଗୁଁ ଭାରତର ବିଶୋଧନକାରୀମାନେ ଇରାନଠାରୁ ତୈଳ କ୍ରୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ସେବେଠାରୁ ଭାରତୀୟ ବିଶୋଧନକାରୀମାନେ ପଶ୍ଚିମ ଏସୀୟ ଉତ୍ପାଦକ ଏବଂ ଯୁକ୍ତରାଷ୍ଟ୍ର ସମେତ ବିକଳ୍ପ ଉତ୍ସ ଉପରେ ବହୁଳ ଭାବରେ ନିର୍ଭର କରିଆସୁଛନ୍ତି।

Spread the love