ଏସିଆନ୍ ଗେମ୍ସରେ ଚମକିଲେ ସୁନା ଝିଅ ; ଭାରତୀୟ ମହିଳା କ୍ରିକେଟ ଦଳକୁ ସ୍ୱର୍ଣ୍ଣ ପଦକ , ଇତିହାସ ରଚିଲେ ମନ୍ଧାନା-ଶେଫାଳି
୨୦୨୬ ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ୨୦୨୩ ହାଙ୍ଗଜୋ ଏସିଆନ୍ ଗେମ୍ସ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୧୪୭ ରନର ଏକପାଖିଆ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା, ଯାହାକି ଏସିଆନ୍ ଗେମ୍ସ ମହିଳା କ୍ରିକେଟ ଇତିହାସର ସର୍ବୋଚ୍ଚ ସ୍କୋର । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନିଂ ଯୋଡ଼ି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଶ୍ରୀଲଙ୍କାର ସ୍ପିନ୍ ଆକ୍ରମଣ ଉପରେ ପ୍ରଥମରୁ ହିଁ ପ୍ରହାର ଆରମ୍ଭ କରିଥିଲେ । ପାୱାର ପ୍ଲେରେ ବିନା କୌଣସି କ୍ଷତିରେ ୫୯ ରନ ଯୋଡ଼ିବା ପରେ ଉଭୟ ୬୦ ବଲରୁ ୯୯ ରନର ଦୃଢ଼ ଭାଗୀଦାରୀ କରିଥିଲେ । ଶେଫାଳିଙ୍କ ୪୮ ରନ ଇନିଂସକୁ ଗତି ଦେଇଥିବା ବେଳେ ମନ୍ଧାନା ୪୫ ବଲରେ ୫ଟି ଚୌକା ଓ ୭ଟି ଛକା ସହାୟତାରେ ବିସ୍ଫୋରକ ୭୯ ରନ କରିଥିଲେ । ଶେଷ ଆଡ଼କୁ ଋଚା ଘୋଷ ମାତ୍ର ୨୨ ବଲରୁ ଅପରାଜିତ ୪୯ ରନ କରି ଭାରତର ସ୍କୋରକୁ ୨୧୬ରେ ପହଞ୍ଚାଇଥିଲେ।
୨୧୭ ରନର ବଡ଼ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ବ୍ୟାଟରମାନେ ଭାରତୀୟ ସ୍ପିନରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଶେଫାଳି ବର୍ମା ବୋଲିଂରେ ଦୁଇଟି ଝଟକା ଦେଇଥିବା ବେଳେ ଦୀପ୍ତି ଶର୍ମା ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ। ପୂରା ଶ୍ରୀଲଙ୍କା ଦଳ ମାତ୍ର ୬୯ ରନରେ ଅଲଆଉଟ୍ ହୋଇଯାଇଥିଲା ।
୭୯ ରନର ଇନିଂସ ବଳରେ ସ୍ମୃତି ମନ୍ଧାନା ପ୍ରଥମ ମହିଳା କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୧ ହଜାର ରନ ପୂରଣ କରି ଇତିହାସ ରଚିଛନ୍ତି। ସେମିଫାଇନାଲରେ ୩୭ ଏବଂ ଫାଇନାଲରେ ୭୯ ରନ ସହ ମନ୍ଧାନା ମୋଟ ୧୧୬ ରନ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ସଂଗ୍ରହକାରୀ ହୋଇଛନ୍ତି। ୨୦୨୩ରେ ଜେମିମା ରୋଡ୍ରିଗ୍ସ ଟପ୍ ସ୍କୋରର ହୋଇଥିବା ବେଳେ ମନ୍ଧାନା କ୍ରମାଗତ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି ।
