ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ପ୍ରଥମ ଦିନରୁ ଅଚଳ ହୋଇଗଲା ବିଧାନସଭା
ବିଧାନସଭା। ଯେଉଁଠି ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ବିତର୍କ ହେବା କଥା। ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟା ଉଠାଇବା କଥା। କିନ୍ତୁ ଗତ କିଛି ବର୍ଷ ହେଲା ବିଧାନସଭାରେ ସେ ଧାରା ଓ ପରମ୍ପରା ବାଟ ହୁଡ଼ିଛି। ବିତର୍କ ବଦଳରେ ମିଡିଆ ମାଇଲେଜକୁ ଧ୍ୟାନ ଦେଉଛନ୍ତି ରାଜନୈତିକ ଦଳ। ସେମିତି ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମାତ୍ର ୪୭ ମିନିଟ୍ ଚାଲିଲା ବିଧାନସଭା। ହୋହଲ୍ଳାରେ ଧୋଇଗଲା ପୂରା ଦିନ।
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା ବିଧାନସଭାର ଫାଷ୍ଟ ଡେ ଫାଷ୍ଟ ଶୋରେ ଗୃହ କମ୍ପାଇଲେ ବିରୋଧୀ । ଶୋକ ପ୍ରସ୍ତାବ ଆଲୋଚନା ସରୁ ସରୁ ଗୃହର ମଧ୍ୟ ଭାଗକୁ ଧସେଇ ପସିଥିଲେ ଉଭୟ ବିରୋଧୀ ଦଳ । ହାତରେ ଫ୍ଲା-କାର୍ଡ ଓ ବ୍ୟାନର ଧରି କଂଗ୍ରେସ ଓ ବିଜେଡି ବିଧାୟକ ପୋଡିଅମ ତଳେ ନାରାବାଜି କରିଥିଲେ ।
… ବିଜେଡି ପାଠ୍ୟ ପୁସ୍ତକ ତୁଟି ପ୍ରସଙ୍ଗ ଉଠାଇ ଜୋରଦାର ବିରୋଧ କରିଥିଲା । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବାଚସ୍ପତିଙ୍କ ପୋଡିଅମ କରିଥିଲେ ପ୍ରତିବାଦ। ତାପରେ ବିଧାନସଭାରୁ ଲୋୟର ପିଏମଜି ପର୍ୟ୍ୟନ୍ତ ମାର୍ଚ୍ଚ କରି ଆଗକୁ ବଢିଥିଲେ ବିଜେଡି ବିଧାୟକ । ଯୁବ ଓ ଛାତ୍ର ପକ୍ଷରୁ କରାଯାଇବା ପ୍ରତିବାଦ ସଭାରେ ସାମିଲ ହୋଇ ଋଣହୁଙ୍କାର ଦେଇଥିଲେ । ଅନ୍ୟପଟେ କଂଗ୍ରେସ ଏମଏମଡିଆର ପ୍ରସଙ୍ଗରେ ହଲ୍ଲାବୋଲ କରିଥିଲା । ରିପୋର୍ଟର ଟେବୁଲ ଉପରେ ଚଢି ତାରା ବାହୀନିପତି ପ୍ରତିବାଦ କରିଥିଲେ ।
ପ୍ରଥମ ଦିନରୁ ଅଚଳାବସ୍ଥାରୁ ଗୃହ କାର୍ୟ୍ୟ ଆରମ୍ଭ ହୋଇଛି । ଦିବଂଗତ ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଗୃହରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ଶାସକ ଦଳ କହିଛି, ଶ୍ରେୟ ନେବା ପାଇଁ ବିରୋଧୀ ରାଜନୀତି କରୁଛନ୍ତି। ସରକାରୀ ଦଳ ପୂରା ପ୍ରସ୍ତୁତ ଅଛି ଆଲୋଚନା କରିବାକୁ ।
ପ୍ରଥମ ଦିନ ଗୃହ କାର୍ୟ୍ୟ ସ୍ୱଭାବିକ ହୋଇପାରିନି । ମୌସୁମୀ ଅଧିବେଶନରେ ସ୍ୱଳ୍ପକାଳୀନ କାର୍ୟ୍ୟ ଦିବସ ରହିଛି । ଆଗକୁ ବିତର୍କ ହେବ ନା କୋଳାହଳରେ ସମୟ ବିତିବ, ତାହା ବଡ଼ ପ୍ରଶ୍ନ । ସେପଟେ ବିରୋଧ ଭିତରେ ରାଜସ୍ୱ, ଆଇନ ମନ୍ତ୍ରୀ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର ଓ ନିୟୋଜନ କର ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ।
