ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସଆଇଆରକୁ ନେଇ ବିଚଳିତ ନେତା, ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର
ଓଡ଼ିଶାରେ ସରିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ନାଁ କଟିଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୁଇଟି ପର୍ୟ୍ୟାୟ ଏସଆଇଆରରେ ରାଜ୍ୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ କଟିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଭୋଟରଙ୍କ ନାଁ କଟିଥିବାବେଳେ ଭୁବନେଶ୍ବରରୁ କଟିଛି ସର୍ବନିମ୍ନ ।
ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀ ସାମ୍ୱାଦିକ ସମ୍ମିଳନୀ କରି ଭୋଟର ତାଲିକା ପ୍ରକାଶ କରିଛନ୍ତି। କେଉଁ ବିଧାନସଭାରେ ଭୋଟର ସଂଖ୍ୟା କେତେ ଅଛନ୍ତି। ତାଲିକାରେ କେତେ ଯୋଡ଼ି ହେଲେ, କେତେ କଟିଲେ ତାହାର ତଥ୍ୟ ରଖିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ ସବୁଠୁ ଅଧିକ ଭୋଟରଙ୍କ ନାଁ ଗଞ୍ଜାମ ଜିଲ୍ଲାରେ କଟିଛି।
କେଉଁ ଜିଲ୍ଲାରୁ କଟିଲେ କେତେ ଭୋଟର ..
ଜିଲ୍ଲା ଭୋଟର
ଗଞ୍ଜାମ – ୨ଲକ୍ଷ ୧୦ହଜାର ୯୧୦
କଟକ – ୧ଲକ୍ଷ ୫୮ହଜାର ୧୬୯
ଯାଜପୁର – ୧ଲକ୍ଷ ୦୬ ହଜାର ୫୧୧
ମୟୂରଭଞ୍ଜ – ୧ ଲକ୍ଷ ୧୨ହଜାର ୬୦୪
ବଲାଙ୍ଗୀର- ୧ଲକ୍ଷ ୭୬୨
ସୁନ୍ଦରଗଡ଼- ୮୬ ହଜାର ୬୮
ପୁରୀ – ୮୫ ହଜାର ୭୪୭
ଏଥିସହ ଓଡ଼ିଶାରେ ରହୁଥିବା ପ୍ରାୟ ୩ଶହ ତିବ୍ଦତୀୟଙ୍କ ନାଁ ଏସଆଇଆରରୁ ବାଦ ପଡିଛି। ମୃତ୍ୟୁ, ସ୍ଥାନାନ୍ତର କିମ୍ୱା ଅନୁପସ୍ଥିତି ସହ ଏକାଧିକ ସ୍ଥାନରେ ନାମ ଥିବା ଯୋଗୁ ଏମାନଙ୍କ ଭୋଟର ତାଲିକାରୁ ଏମାନଙ୍କ ନାଁ ବାଦ୍ ପଡିଛି। କିଛି ନୂଆ ଭୋଟରଙ୍କ ନାଁ ଯୋଡ଼ାଯାଇଛି । ତେବେ ଯୋଗ୍ୟ ଭୋଟରଙ୍କ ନାଁ କଟିଥିଲେ ତାଲିକାଭୁକ୍ତ ହେବା ପାଇଁ ୧୫ ଦିନ ଭିତରେ ଜିଲ୍ଲାପାଳ ଓ ସିଇଓଙ୍କ ପାଖରେ ଆବେଦନ କରିପାରିବେ । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଏସଆଇଆର ପରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଭୋଟର ତାଲିକା ଘୋଷଣା କରିଛନ୍ତି । ଦୁଇ ପର୍ୟ୍ୟାୟ ଏସଆଇଆରରେ ରାଜ୍ୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ କଟିଛି ।
ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ୮,୩୨,୫୪୪ ଜଣ ମୃତ
୮,୦୮,୨୦୫ ଭୋଟର ସ୍ଥାନାନ୍ତରିତ
୧,୯୯ ହଜାର ୨୪୯ ଅନୁପସ୍ଥିତ
ସେହିପରି ୧,୫୮,୧୧୮ ନକଲି ଭୋଟର
ଅନ୍ୟାନ୍ୟ ୧୪ ହଜାର ୪୪୧ ଜଣ ଭୋଟର କଟିଛନ୍ତି
ଏସଆଇଆର ପୂର୍ବରୁ ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ ଭୋଟର ଥିଲେ । ଏବେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ । ବାଦ୍ ପଡ଼ିଥିବା ଭୋଟର ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଅଧୀନରେ ଫର୍ମ-୬ ମାଧ୍ୟମରେ ନାମ ଅନ୍ତର୍ଭୁକ୍ତ ପାଇଁ ଆବେଦନ କରିପାରିବେ।
