ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି
ସୋର: ଠାକୁରଙ୍କୁ ବି ଛାଡିଲେନି ଚୋର । ବର୍ତ୍ତମାନ ଚାରିଆଡେ ମାତିଲେଣି ଚୋର । କେତେବେଳେ କାହା ଘରେ ପସି ଚୋରି କଲେଣି ତ ଆଉ କେତେବେଳେ ମନ୍ଦିର ଭିତରୁ ଚୋରି କରୁଛନ୍ତି । ଏ ଚୋର ଠାଙ୍କୁରଙ୍କୁ ବି ମାନୁନାହାଁନ୍ତି । ଏହିଭଳି ଏକ ଘଟଣା ସୋରରେ ଦେଖିବାକୁ ମିଳିଛି । ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ଵର ଜିଲ୍ଲା ସବିରା ଗାଁର ପତ୍ରଶୁଣି ମନ୍ଦିର ନିକଟରେ ଥିବା ୩ଟି ମନ୍ଦିରରେ କଳାକନା ବୁଲାଇଛନ୍ତି ।
୫ଟି ରୁପା ମୁକୁଟ, ସୁନା ଚିତା, ସୁନା ଓ ରୁପା ହାର, ଆସବାବପତ୍ର ସମେତ ଦାନବାକ୍ସ ଚୋରି କରିନେଇଛନ୍ତି । ଆଜି ସକାଳେ ପୂଜାରୀ ପୂଜା କରିବାକୁ ଆସିବା ବେଳେ ଚୋରି ବାବଦରେ ଜାଣିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସୋର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ।
