ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ ମାମଲା : ଅଯୋଧ୍ୟାରୁ ୩ ସାର୍ପ ସୁଟର ଗିରଫ, ଆଜି କୋଲକତା କୋର୍ଟରେ କରାଯିବ ହାଜର

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଅଯୋଧ୍ୟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସୂତ୍ର ଅନୁଯାୟୀ, ସେମାନଙ୍କ ମଧ୍ୟରୁ ଜଣେ ବକ୍ସର ବାସିନ୍ଦା, ଅନ୍ୟ ଦୁଇଜଣ ଉତ୍ତର ପ୍ରଦେଶର । ସେମାନେ ସାର୍ପ ସୁଟର ବୋଲି ଅଭିଯୋଗ ହୋଇଛି । ଏହା ବ୍ୟତୀତ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ ନାମକ ଆଉ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବକ୍ସରରୁ ଗିରଫ କରିଛି । ଏମାନଙ୍କୁ ଆଜି କୋଲକତା ଅଣାଯାଇ କୋର୍ଟରେ ହାଜର କରାଯିବ ।

୬ ମଇ ୨୦୨୬ ରାତିରେ ମଧ୍ୟମଗ୍ରାମରେ ଚନ୍ଦ୍ରନାଥ ରଥଙ୍କୁ ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ପ୍ରାରମ୍ଭିକ ତଦନ୍ତରେ ଜାଣିବାକୁ ଚେଷ୍ଟା କରୁଛି କି, ଏହି ସାର୍ପ ସୁଟରଙ୍କୁ କିଏ ହାୟର କରିଛି । ଏହି ତଦନ୍ତ ସହିତ ଅନ୍ୟ ରାଜ୍ୟର ସମ୍ପର୍କ ଥିବା ଜଣାପଡ଼ିଥିଲା । ଦୁର୍ବୃତ୍ତମାନେ ଅନ୍ୟ ରାଜ୍ୟରୁ ଆସିଥିଲେ, ଦୁଇଟି ଦଳକୁ ଉତ୍ତର ପ୍ରଦେଶ ଏବଂ ବିହାର ପଠାଯାଇଥିଲା । ସେହି ଟିମ ଦ୍ୱାରା ଉତ୍ତର ପ୍ରଦେଶରୁ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା । ପୋଲିସ ଅନୁସାରେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଶାଲ ଶ୍ରୀବାସ୍ତବ । ସେ ବକ୍ସର ପାଣ୍ଡିଆପଟ୍ଟିର ବାସିନ୍ଦା ।

ତଦନ୍ତକାରୀମାନେ ଦାବି କରୁଛନ୍ତି ଯେ, ଏହି ହତ୍ୟାକାଣ୍ଡର ମୁଖ୍ୟ ସାର୍ପ ସୁଟର ରାଜ ସିଂହ ଥିଲେ । ଘଟଣା ପରେ ଉତ୍ତର ପ୍ରଦେଶର ବାଲିଆର ବାସିନ୍ଦା ରାଜ ଅଯୋଧ୍ୟା ପଳାଇ ଯାଇଥିଲା । ଅଯୋଧ୍ୟା ପୋଲିସ ସହାୟତାରେ ରାଜଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ, କୁଖ୍ୟାତ ଡନ୍ ଏବଂ ସୁପାରୀ କିଲର ଚନ୍ଦନ ମିଶ୍ର ଗ୍ୟାଙ୍ଗର ସଦସ୍ୟ ମୟଙ୍କ ମିଶ୍ରଙ୍କୁ ପୋଲିସ ବକ୍ସାରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳିକରି ହତ୍ୟା କରାଯାଇଥିଲା । ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିଲେ । ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥଙ୍କୁ ଅତି କମରେ ୩ଟି ଗୁଳି ବାଜିଥିଲା । ରଥଙ୍କ ଛାତି, ପେଟ ଏବଂ ମୁଣ୍ଡରେ ୩ଟି ଗୁଳି ବାଜିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଚନ୍ଦ୍ରନାଥ ୧୦ ବର୍ଷରୁ ଅଧିକ ସମୟ ଧରି ଶୁଭେନ୍ଦୁଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *