ଦାରିଙ୍ଗିବାଡ଼ିରେ ପହିଲି ଶୀତ, ଉପଭୋଗ କରୁଛନ୍ତି ପର୍ଯ୍ୟଟକ
କନ୍ଧମାଳ: ଦାରିଙ୍ଗିବାଡ଼ିରେ ପହିଲି ଶୀତ। ଶୀତୁଆ ସକାଳକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ହାଲୁକା ଶୀତ ଲାଗୁଥିଲେ ମଧ୍ୟ ଏବେଠୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି । ଏବେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ୧୩ରୁ ୧୪ ଡିଗ୍ରୀ ରହୁଛି । ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ଦାରିଙ୍ଗିବାଡ଼ି ନୁହେଁ, ସିମନବାଡ଼ି,ଦାସିଙ୍ଗବାଡ଼ି , ସିକର ମାହା , ବ୍ରାହ୍ମଣୀଗାଁ ଓ ଗୋଦାପୁର ଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ହେଉଛି ।
ଶୀତ ଆରମ୍ଭ ଏପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ:
ଏପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଅଧିକ ସକ୍ରିୟ ହୋଇପାରେ । ଓଡ଼ିଶା ପାଇଁ ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ବର୍ତ୍ତମାନ ବଡ଼ ଧରଣର ବର୍ଷା ଆଶଙ୍କା ନାହିଁ ।
ଗତକାଲିର ପାଣିପାଗ ଆକଳନ ଅନୁସାରେ, ଆଗାମୀ ୭ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୁଖିଲା ପାଗ ରହିପାରେ । ଲଘୁଚାପର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବା ପରେ ଓଡ଼ିଶା ଉପରେ ଏହାର ପ୍ରକୃତ ପ୍ରଭାବ ସମ୍ପର୍କରେ ଅଧିକ ତଥ୍ୟ ମିଳିବ । ଅନ୍ୟପଟେ ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ ।
ସଦ୍ୟତମ ଆକଳନ ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ରାତି ଓ ଭୋର ସମୟରେ ଥଣ୍ଡା ଅନୁଭୂତ ହୋଇପାରେ ।
ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଉପରେ ପାଣିପାଗ ବିଭାଗର ନଜର ରହିଛି । ଏହାର ସ୍ଥିତି, ଗତିପଥ ଓ ତୀବ୍ରତା ଅନୁସାରେ ପରବର୍ତ୍ତୀ ଦିନଗୁଡ଼ିକରେ ପୂର୍ବାନୁମାନ ବଦଳିପାରେ । ତେବେ ବର୍ତ୍ତମାନର ଆକଳନରେ ଓଡ଼ିଶା ପାଇଁ ବ୍ୟାପକ ବର୍ଷା କିମ୍ବା ବାତ୍ୟାର କୌଣସି ସ୍ପଷ୍ଟ ସଙ୍କେତ ନାହିଁ ।
