ଦୀପାବଳି ପାଇଁ ଟ୍ୱିନ୍ ସିଟିରେ ପ୍ରବଳ ଉତ୍ସାହ, ବାଣ ଦୋକାନରେ ଲୋକଙ୍କ ଭିଡ଼
ଭୁବନେଶ୍ୱର: ଦୀପାବଳି ପାଇଁ କଟକ-ଭୁବନେଶ୍ୱରରେ ବାଣ ଦୋକାନରେ ଭିଡ଼ । ଟ୍ୱିନ୍ ସିଟିରେ ବାଣ ପ୍ରତି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଧନତେରସରୁ ଆରମ୍ଭ କରି ଦୀପାବଳି ସନ୍ଧ୍ୟା ପର୍ଯ୍ୟନ୍ତ ବରମୁଣ୍ଡା ଓ ବାଲିଯାତ୍ରା ପଡ଼ିଆରେ ହଜାର ହଜାର ଲୋକ ପରିବାର ଓ ପିଲାମାନଙ୍କ ସହ ବାଣ କିଣିବାକୁ ଆସୁଛନ୍ତିି ।
ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସଚେତନତା ଯୋଗୁଁ ଲୋକମାନେ କମ୍ ଧୂଆଁ ଛାଡୁଥିବା ଏବଂ CSIR-NEERI ପ୍ରମାଣିତ QR କୋଡ୍ ଥିବା ଅସଲି ସବୁଜ ବାଣ ଖୋଜୁଛନ୍ତି । ଅଧିକ ବିକଟାଳ ଶବ୍ଦ କରୁଥିବା ବୋମା ବଦଳରେ ରଙ୍ଗବେରଙ୍ଗୀ ଆଲୋକ ବିଛାଉଥିବା ବାଣ ପ୍ରତି ଆଗ୍ରହ ବଢ଼ିଛି ।
ଆକାଶଛୁଆଁ ସ୍କାଇ ସଟ୍ , ବିଭିନ୍ନ ରଙ୍ଗର ଫୁଲଝରି, ଅନାର, ସ୍ପିନିଂ ଚକ୍ରୀକୁ ପସନ୍ଦ କରୁଛନ୍ତି । କମିଶନରେଟ୍ ପୋଲିସର ନିୟମାବଳୀ ଅନୁସାରେ ଟ୍ୱିନ୍ ସିଟିରେ ଆଜି କେବଳ ନିର୍ଦ୍ଦିଷ୍ଟ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି। ସନ୍ଧ୍ୟା ୭:୦୦ ରୁ ରାତି ୯:୦୦ ମଧ୍ୟରେ ବାଣ ଫୁଟା ସୀମିତ ରହିଛି। ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି ।
