ପାଣିକୁ ଓହ୍ଲାଇଲା ସ୍ୱଦେଶୀ ‘ସୂର୍ଯ୍ୟ’, ସୂର୍ଯ୍ୟ’କୁ ଲଞ୍ଚ୍ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଜୟପୁର : ଭାରତୀୟ ନୌସେନାର ଶକ୍ତି ବଢ଼ାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଭାରତର ପ୍ରଥମ ସ୍ୱଦେଶୀ Fleet Support Ship ବା FSS ‘ସୂର୍ଯ୍ୟ’ କୁ ଲଞ୍ଚ୍ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ ରେ ଭାରତର ପ୍ରଥମ ସ୍ୱଦେଶୀ ‘ସୂର୍ଯ୍ୟ’ କୁ ଲଞ୍ଚ୍ କରିଛନ୍ତି । ପ୍ରାୟ ୧୯ ହଜାର କୋଟି ଟଙ୍କା ବ୍ୟୟରେ ମୋଟ ୫ଟି Fleet Support Ship ନିର୍ମାଣ କରାଯାଉଛି।
‘ସୂର୍ଯ୍ୟ’ ହେଉଛି ଏହି ଶୃଙ୍ଖଳାର ପ୍ରଥମ ଜାହାଜ । ଜାହାଜ ନିର୍ମାଣ ପ୍ରକ୍ରିୟାରେ ‘ଲଞ୍ଚ୍’ ଏକ ବଡ଼ ମାଇଲଖୁଣ୍ଟ । ଏହି ପର୍ଯ୍ୟାୟରେ ନିର୍ମାଣାଧୀନ ଜାହାଜ ପ୍ରଥମଥର ପାଇଁ ପାଣିକୁ ଓହ୍ଲାଇଥାଏ । Fleet Support Shipର ପ୍ରମୁଖ କାମ ହେଉଛି ସମୁଦ୍ରରେ ମୁତୟନ ଥିବା ନୌସେନାର ଯୁଦ୍ଧଜାହାଜଗୁଡ଼ିକୁ ଇନ୍ଧନ, ପାଣି, ଖାଦ୍ୟ, ଗୋଳାବାରୁଦ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ।
ଫଳରେ ଯୁଦ୍ଧଜାହାଜଗୁଡ଼ିକୁ ବାରମ୍ବାର ବନ୍ଦରକୁ ଫେରିବାକୁ ପଡ଼ିବ ନାହିଁ । ସେମାନେ ଅଧିକ ସମୟ ଧରି ଦୂର ସମୁଦ୍ରରେ ମୁତୟନ ରହିପାରିବେ । ଏହା ନୌସେନାର ଦୂରଗାମୀ ଅଭିଯାନ କ୍ଷମତାକୁ ବଢ଼ାଇବ । ଏହି ଅବସରରେ ରାଜନାଥ ସିଂହ କହିଛନ୍ତି, ଭାରତ ପାଇଁ ଏକ ଶକ୍ତିଶାଳୀ ସାମୁଦ୍ରିକ କ୍ଷମତା ଜରୁରୀ । କେବଳ ଆତ୍ମନିର୍ଭର ହେବା ନୁହେଁ, ବରଂ ଭାରତକୁ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ଶକ୍ତିରେ ପରିଣତ କରିବା ଲକ୍ଷ୍ୟ ରହିଛି ।
କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣା ସ୍ୱାମୀନାଥନ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଆଉ ଏକ Fleet Support Shipର keel laying ବା ନିର୍ମାଣର ମୂଳ ଢାଞ୍ଚା ସ୍ଥାପନ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । Hindustan Shipyardରେ ଆଧୁନିକୀକରଣ କରାଯାଇଥିବା slipway ଏବଂ ୩୦୦ ଟନ୍ କ୍ଷମତା ବିଶିଷ୍ଟ କ୍ରେନ୍ ମଧ୍ୟ ସେ ଉଦଘାଟନ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ, ଏହି ନୂଆ ଭିତ୍ତିଭୂମି Hindustan Shipyardକୁ ଆଗାମୀ ଦିନରେ ଆହୁରି ବଡ଼ ଏବଂ ଜଟିଳ ଜାହାଜ ନିର୍ମାଣରେ ସକ୍ଷମ କରିବ । ସେହିପରି ‘ସୂର୍ଯ୍ୟ’ର ଲଞ୍ଚ୍ ସ୍ୱଦେଶୀ ଜାହାଜ ନିର୍ମାଣ ସହ ଭାରତୀୟ ନୌସେନାର ସାମୁଦ୍ରିକ କ୍ଷମତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
