ବାରଙ୍ଗ ଥାନାରେ ନିର୍ଯାତନା ମାମଲା, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ NHRC
ଭୁବନେଶ୍ୱର : ବାରଙ୍ଗ ଥାନାରେ ନିର୍ଯାତନା ମାମଲାରେ କଟକ ପୋଲିସକୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ । ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC । କଟକ କମିଶନରେଟ୍ ପୋଲିସ ଅଧୀନରେ ଥିବା ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ବେଆଇନ ଭାବେ ଅଟକ ରଖି ଥାର୍ଡ-ଡିଗ୍ରୀ ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି।
ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ NHRC କଟକ ଡିସିପିଙ୍କୁ ଏକ ସ୍ପେଶାଲ୍ ନୋଟିସ୍ ଜାରି କରିଛି । ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସର ଏକ କପି ପୋଲିସ ଡିଜିଙ୍କୁ ମଧ୍ୟ ପଠାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ମେ ୧୫ ତାରିଖରୁ ରାକେଶ କୁମାର ବେହେରାଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ। ପୋଲିସ ସନ୍ଦେହରେ ରାକେଶଙ୍କୁ ଉଠାଇ ନେଇ ବାରଙ୍ଗ ଥାନାରେ ୪ ଦିନ ଧରି ଅଟକ ରଖିଥିଲା।
ପତ୍ନୀଙ୍କୁ ହତ୍ୟା କରିଥିବା କଥା ଜବରଦସ୍ତି ସ୍ୱୀକାର କରାଇବା ପାଇଁ ପୋଲିସ ତାଙ୍କୁ ନିର୍ମମ ଭାବେ ପିଟିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା, ରାକେଶଙ୍କ ପତ୍ନୀ ଜୀବିତ ଅଛନ୍ତି ଏବଂ ସେ ଦିଲ୍ଲୀରେ ରହୁଛନ୍ତି। ଏହି ଖୁଲାସା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଭୁଲ୍ ଏବଂ କ୍ଷମତାର ଅପବ୍ୟବହାର ବୋଲି ପ୍ରମାଣିତ ହୋଇଛି।
ଏହି ମାମଲାର ଶୁଣାଣି କରି NHRC କହିଛନ୍ତି, ବେଆଇନ ଭାବେ ଅଟକ ଏବଂ ହେପାଜତରେ ନିର୍ଯାତନା ଦେବା ସମ୍ବିଧାନର ଧାରା ୨୧ର ସ୍ପଷ୍ଟ ଉଲ୍ଲଂଘନ । ଏହା ଏକ ଗୁରୁତର ଅପରାଧ। ତେଣୁ କଟକ ଡିସିପି ଏହାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ତେବେ NHRC ଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ଭିତରେ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇପାରେ।
ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ । ଓଡ଼ିଶାରେ ଗୋଟିଏ ପରେ ଗୋଟିଏ କଷ୍ଟୋଡିଆଲ୍ ନିର୍ଯାତନା ମାମଲା ସାମ୍ନାକୁ ଆସୁଥିବାରୁ ମାନବାଧିକାର କର୍ମୀ ଉଦବେଗ ପ୍ରକାଶ କରିଛନ୍ତି । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି ।
