ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ, ନରୱେ ମହାରାଣୀ ଓ ରାଜାଙ୍କୁ ମୋଦିଙ୍କ ଉପହାର
ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ । ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ପୁଣିଥରେ ବିଶ୍ୱ ଦରବାରରେ ଚମକିଛି । ବିଦେଶ ଗସ୍ତ ସାରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଚର୍ଚ୍ଚାରେ ସେ ବିଦେଶରେ ରାଷ୍ଟ୍ରନେତାଙ୍କୁ ଦେଇଥିବା ଉପହାର । ପ୍ରଧାନମନ୍ତ୍ରୀ ମୋଦି ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜାଙ୍କୁ ତାରକସିର ନୌକା ଓ ମହାରାଣୀ ସୋନଜାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ପ୍ରାୟତଃ ଏପରି ପାରମ୍ପାରିକ ହସ୍ତକଳା ଉପହାର ଦେଇ ଭାରତୀୟ ସଂସ୍କୃତିକୁ ପ୍ରଚାର କରନ୍ତି । ନରୱେ ମହାରାଣୀ ସୋନଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସବୁଠାରୁ ପ୍ରାଚୀନ କଳାକୁ ହୃଦୟରୁ ଏକ ଉପହାର ଭାବେ ବାଛିଥିଲେ । ସେ ତାଙ୍କୁ ଏକ ତାଳ ପତ୍ର ପଟ୍ଟଚିତ୍ର ଉପହାର ଦେଇଥିଲେ। ତାଳ ପତ୍ର ଉପରେ ସୁନ୍ଦର କାରୁକାର୍ଯ୍ୟର ପଟ୍ଟଚିତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ରାଜା ହାରାଲ୍ଡ ଭିଙ୍କୁ ତାରକସି କଳାରେ ତିଆରି ରୂପାର ନୌକା ଉପହାର ଦେଇଥିଲେ। କଟକର ତାରକସି ଏକ ପ୍ରାଚୀନ ରୂପା ଫିଲିଗ୍ରୀ କଳା । ଏଥିରେ ଅତ୍ୟନ୍ତ ସୂକ୍ଷ୍ମ ରୂପା ତାରକୁ ବୁଣି ଜାଲି ପରି ଡିଜାଇନ୍ ତିଆରି କରାଯାଏ। ଏହି ନୌକା ମଡେଲ୍ ଓଡ଼ିଶାର ଐତିହାସିକ ସମୁଦ୍ର ଯାତ୍ରା ଓ ବାଣିଜ୍ୟ ପରମ୍ପରାର ପ୍ରତୀକ। ରାଜା ହାରାଲ୍ଡ ଭି ନିଜେ ନୌକା ଚାଳନା ପ୍ରେମୀ । ସେ ଅନେକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
