କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ
କେନ୍ଦୁଝର : କାଳବୈଶାଖୀ ନେଲା ୩ ଜୀବନ । କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ଆଜି ଅପରାହ୍ଣ ସମୟରେ ହଠାତ୍ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।
କେନ୍ଦୁଝର ଟାଉନ ଥାନା ଅଧୀନ ନରଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ପ୍ରବଳ ପବନରେ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଲେଖାଯିବା ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଏହି ଅଘଟଣ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।
